୧୫ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଉତ୍ସବ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ। ୨୦୧୫ ଓ ୨୦୧୬ ମସିହା ପାଇଁ ଓଡ଼ିଆ ସାହିତ୍ୟର ୯ଟି ବିଭାଗରେ ୧୦ଜଣ ଲେଖାଏ ସାହିତ୍ୟ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ। ଏହାସହ ୨୦୧୯ ପାଇଁ ୧୫ଜଣ ସାହିତି୍ୟକଙ୍କୁ ଓଡ଼ିଆ ସାହିତ୍ୟ ଏକଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ସମସ୍ତ ପୁରସ୍କୃତ ଓ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ଏକାଡେମୀର ବର୍ଦ୍ଧିତ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ସୁଚିସ୍ମିତା ମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ ଐତିହ୍ୟ କ୍ୟାବିନେଟ୍‌ରେ ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ବିଭିନ୍ନ ଏକାଡେମୀ ପୁରସ୍କାର ରାଶି ବୃଦ୍ଧି କରାଯାଇଥିଲା। ଅତିବଡୀ ପୁରସ୍କାର ରାଶିକୁ ୧ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଏକାଡ଼େମୀର ପୁରସ୍କାର ରାଶିକୁ ୫୦ହଜାରରୁ ୨ ଲକ୍ଷ ଟଙ୍କା ଓ ଏକାଡେମୀର ସମ୍ବର୍ଦ୍ଧନା ପୁରସ୍କାର ରାଶିକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ନିକଟରେ ୨୦୧୯ ପାଇଁ ବିଶିଷ୍ଟ କଥାକାର ତଥା ଔପନାସିକା ବୀଣାପାଣି ମହାନ୍ତିଙ୍କୁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ବାବଦରେ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ସେହି ସମୟରେ ସମ୍ବର୍ଦ୍ଧନା ପାଇଁ ଚୟନ ହୋଇଥିବା ପ୍ରତିଭାଙ୍କୁ ବର୍ଦ୍ଧିତ ରାଶି ପ୍ରଦାନ କରାଯିବାକୁ ଥିବାବେଳେ ବୀଣାପାଣିଙ୍କୁ ଅତିବଡୀ ପୁରସ୍କାର ବାବଦରେ କାହିଁକି ପୂର୍ବରୁ ଥିବା ପୁରସ୍କାର ରାଶି ପ୍ରଦାନ କରାଗଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ତେବେ ଏନେଇ ବିଚାର କରାଯିବ ବୋଲି ଏକାଡେମୀ ପକ୍ଷରୁ କୁହାଯାଇଛି।