ସାକ୍ଷରତା ହାରରେ ୨୮ତମ ସ୍ଥାନରେ ଓଡ଼ିଶା, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ…

ଭୁବନେଶ୍ୱର,୧୨ା୫(ସୁଚିସ୍ମିତା ସାହୁ): ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳର ସାକ୍ଷରତା ହାର ପ୍ରକାଶ ପାଇଛି। ଓଡ଼ିଶା ୨୮ ନମ୍ବର ସ୍ଥାନରେ ରହିଛି (ତାଲିକାର ଶେଷ ଆଡୁ ୯ମ)। ଗୋଆ, ହିମାଚଳ ପ୍ରଦେଶ ଓ ଆଣ୍ଡାମାନ ନିକୋବର ଦୀପପୁଞ୍ଜ ଭଳି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବାଧିକ ୯୯%ରୁ ଊର୍ଦ୍ଧ୍ୱ ସାକ୍ଷରତା ହାର ରହିଥିବାବେଳେ ଓଡ଼ିଶାର ସାକ୍ଷରତା ହାର ୭୯ ପ୍ରତିଶତରେ ରହିଛି। ସବୁଠାରୁ ପଛରେ ରହିଛି ଆନ୍ଧ୍ରପ୍ରଦେଶ ଓ ବିହାର। ଆନ୍ଧ୍ରପ୍ରଦେଶରେ ୭୨.୬% ଏବଂ ବିହାରରେ ସାକ୍ଷରତା ହାର ୭୪.୩ ପ୍ରତିଶତ ରହିଛି। ସେହିପରି ମଧ୍ୟପ୍ରଦେଶରେ ସାକ୍ଷରତା ହାର ୭୫.୨% ରହିଥିବାବେଳେ ରାଜସ୍ଥାନ ୭୫.୮, ତେଲଙ୍ଗାନା ୭୬.୯, ଛତିଶଗଡ଼ ୭୮.୫, ଝାଡ଼ଖଣ୍ଡ ୭୬.୭ ଏବଂ ଉତ୍ତର ପ୍ରଦେଶରେ ୭୮.୨% ସାକ୍ଷରତା ହାର ରହିଛି।
ତେବେ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡରେ ସର୍ବାଧିକ ସାକ୍ଷରତା ହାର ୯୯.୯% ରହିଥିବା ବେଳେ ଗୋଆ ୯୯.୭%, ହିମାଚଳ ପ୍ରଦେଶ ୯୯%, ଆଣ୍ଡାମାନ ଓ ନାଗାଲ୍ୟାଣ୍ଡ୍‌ ୯୯%, ଲକ୍ଷାଦ୍ୱୀପ ୯୭.୩%, ଲଦାଖ ୯୭%, ନାଗାଲାଣ୍ଡ ୯୫.୭%, ମଣିପୁର ୯୨%, ତ୍ରିପୁରା ୯୫.୬%, ମିଜୋରାମ ୯୮.୨%, କେରଳ ୯୫.୩ % ଓ ପଣ୍ଡିଚେରୀର ୯୨.୭% ସାକ୍ଷରିତ ହାର ରହିଛି।
ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି ତଥ୍ୟ ଅନୁସାରେ, ଭାରତ ସମ୍ପ୍ରତି ଜନଭାଗିଦାରୀ, ସ୍ବେଚ୍ଛାକୃତସେବା ଏବଂ କର୍ତ୍ତବ୍ୟବୋଧର ପ୍ରେରଣାରେ ସମ୍ପୂର୍ଣ୍ଣ ସାକ୍ଷର ଲକ୍ଷ୍ୟରେ ଅଗ୍ରସର ହେଉଛି। ଏପର୍ଯ୍ୟନ୍ତ ସାତଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସମ୍ପୂର୍ଣ୍ଣ ସାକ୍ଷର ଘୋଷଣା କରିଥିବା ବେଳେ ଅନେକ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏହି ଲକ୍ଷ୍ୟ ପାଇଁ ଦୃଢ଼ ଭାବେ ଅଗ୍ରସର ହେଉଛନ୍ତି। ଭାରତ ଏକ ସଶକ୍ତ, ସମାବେଶୀ ଏବଂ ଜ୍ଞାନଭିତ୍ତିକ ସମାଜ ଗଠନ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଥିବା ସୂଚନା ଦିଆଯାଇଛି।

Odisha’s No.1 Odia Daily

Share