ନୃଶଂସ ଭାବେ ବେକ କାଟି ହତ୍ୟା କରି ଫିଙ୍ଗିଦେଲେ, ରକ୍ତ ଜୁଡୁବୁଡ଼ୁ ମୃତଦେହ ଜବତ କଲା ପୁରୀ ପୋଲିସ

ପୁରୀ,୩।୪(ଅଜିତ୍‌ ମହାନ୍ତି): ପୁରୀ ସମୁଦ୍ରକୂଳ ଥାନା ଅଞ୍ଚଳରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଚକ୍ରତୀର୍ଥ ରୋଡ ସମୁଦ୍ର କୂଳ ଥାନା ଅନ୍ତର୍ଗତ ନାରାୟଣ ପ୍ୟାଲେସ ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜବତ କରାଯାଇଛି। ମୃତ ଯୁବକ ଜଣଙ୍କ ମୃତକ ହେଲେ ପେଣ୍ଠକଟା ମେରାଇନ ଥାନା ବାଲି ଗୁଆଳି ଗ୍ରାମର ବିକ୍ରମ କେଶରୀ ପ୍ରଧାନ। ସେ ପୁରୀ ର ଏକ ହୋଟେଲରେ କାମ କରୁଥିଲେ।

ସୂଚନାନୁଯାୟୀ, ଗ୍ରାମ୍ୟ ବ୍ୟାଙ୍କ ନିକଟରେ ବିକ୍ରମଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ସେମାନେ ଖବର ଦେଇଥିଲେ। ଖବର ପାଇ ସମୁଦ୍ର କୂଳ ଥାନା ପୋଲିସ ଓ ବରିଷ୍ଠ ପୋଲିସ ଅଧିକାରୀ ମାନେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିବା ସହ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପ୍ରାରମ୍ଭିକ ତଦନ୍ତରୁ ତାଙ୍କୁ ବେକ କାଟି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।ତେବେ ତାଙ୍କୁ କିଏ ଏବଂ କାହିଁକି ହତ୍ୟା କଲା ସେନେଇ ତଦନ୍ତ ପରେ ଜଣା ପଡ଼ିବ ବୋଲି ପୋଲିସ କହିଛି।