ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ ଆସିଛି। ନିଜର ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର କରିବା ଅଭିଯୋଗରେ ଦେଢ଼ଶୁର ଲୋକନାଥ ମହାନ୍ତଙ୍କୁ ପାଟଣା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏହି ସାଂଘାତିକ ଘଟଣାଟି ବାଲିବନ୍ଧ ଗାଁରେ ଘଟିଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ଗତ ରବିବାର ଦିନ ୨୨ ବର୍ଷୀୟା ପୀଡ଼ିତା ମହିଳା ନିଜ ଘରେ ରୋଷେଇ କରୁଥିଲେ। ଏହି ସମୟରେ ତାଙ୍କ ଶ୍ୱଶୁର ବାହାରକୁ ବଳଦ ଚରାଇବାକୁ ଯାଇଥିଲେ ଏବଂ ଶାଶୁ ଅନ୍ୟ ଗୃହକାର୍ଯ୍ୟରେ ବ୍ୟସ୍ତ ଥିଲେ। ଏହାର ସୁଯୋଗ ନେଇ ଦେଢ଼ଶୁର ଲୋକନାଥ ତରକାରୀ ମାଗିବା ବାହାନାରେ ଘର ଭିତରକୁ ପଶି ଆସିଥିଲେ। ପରେ ସେ ମହିଳାଙ୍କୁ ଜୋରଜବରଦସ୍ତି ଘରର ଉପର ମହଲାକୁ ଟେକି ନେଇ ବଳାତ୍କାର କରିଥିବା ଏତଲାରେ ଦର୍ଶାଯାଇଛି।
ପୀଡ଼ିତା ମହିଳାଙ୍କ ସ୍ୱାମୀ ଜୀବିକା ଅର୍ଜନ ପାଇଁ ବାଙ୍ଗାଲୋରରେ ରହୁଥିବା ବେଳେ ସେ ଘରେ ଶାଶୁ-ଶ୍ୱଶୁରଙ୍କ ସହ ରହୁଥିଲେ। ଏହି କୁତ୍ସିତ ଘଟଣା ପରେ ମହିଳା ଜଣକ ନିଜ ପରିବାର ଲୋକଙ୍କୁ ଜଣାଇ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପାଟଣା ପୋଲିସ ତୁରନ୍ତ ଚଢ଼ଉ କରି ଅଭିଯୁକ୍ତ ଦେଢ଼ଶୁର ଲୋକନାଥଙ୍କୁ ଗିରଫ କରିଛି। ପାଟଣା ଥାନା ଏସ୍ଆଇ ଲକ୍ଷ୍ମଣ କୁମାର ମାଝୀ ଏହି ସଂବେଦନଶୀଳ ମାମଲାର ତଦନ୍ତ ଭାର ଗ୍ରହଣ କରି ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି।