ଭୁବନେଶ୍ୱର, ୯ା୫(ବନ୍ଦନା ସେଠୀ): ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ (ପିଏମ୍ଏଓ୍ବାଇ-ୟୁ ୨.୦)’ ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ୨୦୨୪ ସେପ୍ଟେମ୍ବରରେ ପିଏମ୍ଏଓ୍ବାଇ-ୟୁ ୨.୦ର ଶୁଭାରମ୍ଭ ପରଠାରୁ ସହରାଞ୍ଚଳର ହିତାଧିକାରୀଙ୍କୁ ସୁଲଭ ଓ ଗୁଣାତ୍ମକ ବାସଗୃହ ଯୋଗାଇବାରେ ରାଜ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସେହିପରି ୨୦୨୫ ମାର୍ଚ୍ଚରୁ ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଆସୁଛି ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବିଭାଗର ତଥ୍ୟ ଅନୁଯାୟୀ, ପିଏମ୍ଏଓ୍ବାଇ-ୟୁ ୨.୦ ଅଧୀନରେ ଓଡ଼ିଶାରେ ମୋଟ ୨୪,୬୨୫ଟି ଘର ମଞ୍ଜୁର ହୋଇଥିବାବେଳେ ସେଥିମଧ୍ୟରୁ ୨୩,୪୬୪ଟି ପ୍ରସ୍ତାବିତ ସ୍ଥାନର ଜିଓ-ଟ୍ୟାଗିଂ କାର୍ଯ୍ୟ ସରିଛି। ୨୦୨୬ ମେ’ ୫ ସୁଦ୍ଧା ୩,୧୩୪ଟି ଘରର ଭିତ୍ତିପ୍ରସ୍ତର କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ୨,୦୦୮ଟି ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ଘରଗୁଡ଼ିକ ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣାଧୀନ ରହିଛି ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଲକ୍ଷ୍ୟ ପୂରଣ ହେବ ବୋଲି ରାଜ୍ୟ ସରକାର ଆଶା ପ୍ରକାଶ କରିଛନ୍ତି। ନିର୍ମାଣ କାର୍ଯ୍ୟ ଆହୁରି ତ୍ୱରାନ୍ବିତ କରିବା ସହ ପିଏମ୍ଏଓ୍ବାଇ-ୟୁ ୨.୦ର ଅବଶିଷ୍ଟ ଲକ୍ଷ୍ୟକୁ ସମୟସୀମା ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଠିକ୍ ସମୟରେ କାର୍ଯ୍ୟ ସମ୍ପାଦନ, ଗୁଣାତ୍ମକ ନିର୍ମାଣ ଏବଂ ସହରାଞ୍ଚଳର ଯୋଗ୍ୟ ଗରିବ ପରିବାରଙ୍କୁ ଶୀଘ୍ର ସୁବିଧା ପ୍ରଦାନ ଉପରେ ମନ୍ତ୍ରୀ ବିଶେଷ ଗୁରୁତ୍ୱାରୋପ କରିବା ସହ ଏହି ସଫଳତା ବିଭାଗର ସକ୍ରିୟ ପଦକ୍ଷେପ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ସହ ଫଳପ୍ରସୂ ସମନ୍ବୟ ଏବଂ ତୃଣମୂଳ ସ୍ତରରେ ଦ୍ରୁତ କାର୍ଯ୍ୟାନ୍ବୟନର ସ୍ପଷ୍ଟ ପ୍ରତିଫଳନ ବୋଲି ସେ କହିଛନ୍ତି।