Categories: ଖେଳ

ଜାଭେଲିନ୍‌ ଥ୍ରୋ ଫାଇନାଲରେ ଓଡ଼ିଶାର କିଶୋର

ଭୁବନେଶ୍ୱର, ୨୬।୮ (ତପନ ସ୍ବାଇଁ): ବୁଦାପେଷ୍ଟରେ ଚାଲିଥିବା ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପର୍‌ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର କିଶୋର ଜେନା। ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍‌ ‘ବି’ କ୍ୱାଲିଫିକେଶନ ରାଉଣ୍ଡରେ ସେ ୮୦.୫୫ ମିଟର ଥ୍ରୋ କରି ଏହି ଗୌରବ ପାଇଛନ୍ତି। କ୍ୟାରିୟରରେ ପ୍ରଥମଥରପାଇଁ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗନେଇଥିବା କିଶୋର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରି ରାଜ୍ୟକୁ ଗର୍ବିତ କରିଛନ୍ତି। ଏହି ସଫଳତା ପାଇଁ କିଶୋରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।
୧୯୯୫ ସେପ୍ଟେମ୍ବର ୬ରେ କିଶୋର ଜେନାଙ୍କ ଜନ୍ମ। ତାଙ୍କ ମା’ ହେଉଛନ୍ତି ହରପ୍ରୀୟା ଜେନା ଓ ବାପା କେଶବ ଜେନା। ଘର ପୁରୀ ବ୍ରହ୍ମଗିରିସ୍ଥିତ କୋଠସାହି ଗ୍ରାମରେ। ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସରୁ ପ୍ରଶିକ୍ଷଣ ନେଇ ଆଗକୁ ବଢ଼ିଥିବା ଏହି ଆଥଲେଟ୍‌ ପ୍ରତିଭାଙ୍କ ଜାଭେଲିନ୍‌ ଥ୍ରୋରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୪.୩୮ ମିଟର। ଏହାକୁ ସେ ୨୦୨୩ ଜୁଲାଇ ୨୯ରେ କଲମ୍ବୋରେ ଅନୁଷ୍ଠିତ ଶ୍ରୀଲଙ୍କା ନ୍ୟାଶନାଲ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ହାସଲ କରିଥିଲେ। ୨୦୧୭ରୁ ରାଜ୍ୟ ସ୍ତରରେ ଜାଭେଲିନ୍‌ ଥ୍ରୋରେ ଚମକ ଦେଖାଇଥିବା କିଶୋର ୨୦୨୧ରୁ ଜାତୀୟ ସ୍ତରରେ ନିଜ ପ୍ରଦର୍ଶନର ଛାପ ଛାଡ଼ିବାରେ ଲାଗିଛନ୍ତି। ଚଳିତ ବର୍ଷ ତାଙ୍କ ପ୍ରଦର୍ଶନ ଶୀର୍ଷରେ ରହିଛି। ୨୦୨୩ ମାର୍ଚ୍ଚ ୧ରେ କର୍ନାଟକରେ ଅନୁଷ୍ଠିତ ଇଣ୍ଡିଆନ ଓପନ ଥ୍ରୋ ପ୍ରତିଯୋଗିତାରେ ସେ ୭୮.୯୩ ମିଟର ସହ ସ୍ବର୍ଣ୍ଣ ପଦକ ପାଇଥିଲେ। ମାର୍ଚ୍ଚ ୨୦ରେ କେରଳରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି-୧ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୧.୦୧ ମିଟର ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ଜୁନ୍‌ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ମିଟ୍‌ରେ ସେ ୮୨.୮୭ ମିଟର ଥ୍ରୋ ସହିତ ରୌପ୍ୟ ପଦକ ପାଇଥିଲେ। ଅନ୍ତର୍ଜାତୀୟ ସ୍ତରରେ ଶ୍ରୀଲଙ୍କା ପ୍ରତିଯୋଗିତା ବ୍ୟତୀତ ସେ ବିରୁଟ୍‌ରେ ଆୟୋଜିତ ଲେବାନନ ନ୍ୟାଶନାଲ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ୭୮.୯୬ ମିଟର ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଓଡ଼ିଶାର ପ୍ରଥମ ଆଥଲେଟ୍‌ଭାବେ ସେ ଥ୍ରୋ ଇଭେଣ୍ଟରେ ବିଶ୍ୱ ଚାମ୍ପିୟନଶିପ୍‌ ଏବଂ ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

Share