ମା’ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ; ଦାରିଙ୍ଗବାଡ଼ିରେ ଭକ୍ତିମୟ ପରିବେଶ

ଦାରିଙ୍ଗବାଡି, ୨୭।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ମା’ଠାକୁରାଣୀଙ୍କ ଯାତ୍ରା -୨୦୨୪ ନିମନ୍ତେ ବୁଧବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଏହି ଅବସରରେ ମା’ଠାକୁରାଣୀ ପୂଜା କମିଟି ପକ୍ଷରୁ ପୂଜାପାଠ, ହୋମ ଯଜ୍ଞର ଆୟୋଜନ କରାଯାଇଥିଲା। କମିଟିର ଟୁକୁନା ସାହୁ କର୍ତ୍ତା ଭାବେ ସମ୍ପାଦନା କରିଥିବା ବେଳେ ଚନ୍ଦନ ତ୍ରିପାଠୀ ଏବଂ ବୁଲୁ ତ୍ରିପାଠୀ ହୋମ ପୂଜା ଆଦି କରି ଶୁଭଖୁଣ୍ଟି ସ୍ଥାପନ କରାଇଥିଲେ। ତେବେ ପୂର୍ବ ଧାର୍ଯ୍ୟ ସମୟ ଅନୁସାରେ ଏହି ଶୁଭଖୁଣ୍ଟି ସ୍ଥାପନ କରାଯାଇଥିବା ସାଧାରଣ ସମ୍ପାଦକ ଭଗବାନ ସାହୁ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଆସନ୍ତା ଚୈତ୍ର ମାସର ଶେଷ ମଙ୍ଗଳବାର ଏପ୍ରିଲ ୨୩ ଠାରୁ ମା’ଙ୍କ ଯାତ୍ରା ଆରମ୍ଭ ହେବ। ଏହା ମେ’ ୭ ରେ ପୂର୍ଣ୍ଣାହୁତି ହେବ। ଏନେଇ କମିଟିର ସଭାପତି ଲଡ଼ୁ କିଶୋର ସାହୁ କହିଛନ୍ତି ଯେ ଧୁମ୍‌ଧାମ୍‌ରେ ମା’ଠାକୁରାଣୀଙ୍କ ପୂଜା ପାଠ ପାଳନ କରାଯିବ। ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ଘଟ ପରିକ୍ରମା ପ୍ରତେକ ସାହିରେ କରାଯିବା ପାଇଁ ପୂର୍ବ ବୈଠକରେ ନିଷ୍ପତି ନିଆଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ଶିବଶଙ୍କର ସାହୁ, ବାପୁଜୀ ମିଶ୍ର, ଅବନୀ ସାହୁ, ଦୀପକ ସାହୁ, ଅମରେଶ ସାହୁ, ମନୋଜ ସାହୁ, ରଂଜିତ କୁମାର ସେନାପତି, ବାବୁଲି ସାହୁ, କୀର୍ତ୍ତି ଚନ୍ଦ୍ର ସାହୁ, ରୋଶନ ସାହୁ, ଆଇନଜୀବୀ ଉମେଶ କର, ପ୍ରଦୀପ ସାହୁ, ପତିତପାବନ ରାଉତ, ସରପଞ୍ଚ ଚନ୍ଦ୍ରିକା ମଲିକ, ଅରୁଣ ପ୍ରଧାନ,ଅଇସନ୍ୟ ମଲିକ, ନନ୍ଦିନୀ ମଲିକ, ପ୍ରମୁଖ ଏହି ପୂଜା କମିଟିରେ ରହି ପରିଚାଳନା କରିଥିଲେ।

ସୂଚନା ଯୋଗ୍ୟ, ପୂର୍ବରୁ ଏହି ଯାତ୍ରାରେ କେବଳ ପୂଜାର୍ଚ୍ଚନା କରାଯାଉଥିଲା। ଗତ ୨୦୦୦ ମସିହାରୁ ଏହି ଯାତ୍ରା ବଡ଼ ଧରଣର କରାଯିବା ସହ ପ୍ରତି ୩ ବର୍ଷରେ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଛି। ଶେଷ ଥର ପାଇଁ ୨୦୧୯ ମସିହାରେ ହୋଇଥିବା ବେଳେ କୋଭିଡ୍‌ ପରଠାରୁ ଏହି ଯାତ୍ରା ବନ୍ଦ ରହିଥିଲା। ତେବେ ଚଳିତ ବର୍ଷ ପୁଣିଥରେ ଏହାକୁ କରାଯିବା ପାଇଁ ସ୍ଥିର କରାଯାଇଥିବା ଯୋଗୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଏହି ଯାତ୍ରାରେ ଜିଲା ତଥା ଜିଲା ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ନଜିର ରହିଛି। ତେଣୁ କମିଟି ପକ୍ଷରୁ ବ୍ୟାପକ ସୁବିଧା ଓ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି।