ଭୁବନେଶ୍ୱର,୧୯ା୮:ଅଲ୍ଟିମେଟ ଖୋଖୋ ଲିଗ୍ରେ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ଓଡ଼ିଶା ଜଗରନଟ୍ସ। ଶୁକ୍ରବାର ପୁଣେର ଶ୍ରୀ ଶିବ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ରାଜସ୍ଥାନ ଓ୍ବାରିୟର୍ସ ବିପକ୍ଷରେ ମ୍ୟାଚ୍ ରହିଥିବା ବେଳେ ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଦଳ ପ୍ରୟାସ କରିବ। ମଙ୍ଗଳବାର ଗୁଜରାଟ ଜାୟାଣ୍ଟ୍ସ ବିପକ୍ଷରେ ଅଗ୍ରଣୀ ରହିଥିଲେ ମଧ୍ୟ ଦଳ ଅନ୍ତିମ କ୍ଷଣରେ ପରାଜିତ ହୋଇଥିଲା। ପରାଜୟକୁ ପଛରେ ପକାଇ ପୁଣି ଥରେ ଜଗରନଟ୍ସ ବିଜୟ ଧାରାକୁ ଫେରିବ ବୋଲି ଆଶାବାଦୀ ଅଛନ୍ତି କୋଚ୍ ଅଶ୍ୱିନୀ କୁମାର ଶର୍ମା। ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହିତ ଓଡ଼ିଶା ପଏଣ୍ଟ ଟେବଲର ତୃତୀୟ ସ୍ଥାନରେ ରହିଛି। ଅଦ୍ୟାବଧି ରାଜସ୍ଥାନ ଦୁଇଟି ମୁକାବିଲା ଖେଳି ସାରିଥିବା ବେଳେ ପ୍ରଥମ ବିଜୟ ସନ୍ଧାନରେ ରହିଛି। ରାଜସ୍ଥାନ ଦୁଇଟି ଯାକ ମୁକାବିଲା ହାରିଥିବାରୁ ଏହା ଆମକୁ ମନସ୍ତାତ୍ତ୍ୱିକ ଅଗ୍ରଣୀ ପ୍ରଦାନ କରିବ ବୋଲି ଶର୍ମା କହିଛନ୍ତି। ଅନ୍ୟପକ୍ଷରେ ଟୁର୍ନାମେଣ୍ଟରେ ରାଜସ୍ଥାନ ନିଜର ପଏଣ୍ଟ ଖାତା ଖୋଲିବାକୁ ଜୋରଦାର ପ୍ରୟାସ କରିବ। ମଜହର ଜମାଦାରଙ୍କ ରାଜସ୍ଥାନ ଏଯାଏ ଆଖିଦୃଶିଆ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିଲେ ହେଁ ଅଧିନାୟକଙ୍କ ପ୍ରଦର୍ଶନ କିନ୍ତୁ ବେଶ୍ ଚମତ୍କାର ରହିଛି। ସେ ଦୁଇଟି ମ୍ୟାଚରୁ ୨୯ ଆଟାକ ପଏଣ୍ଟ ସଂଗ୍ରହ କରିଛନ୍ତି।
ସେହିପରି ଶୁକ୍ରବାରର ଦ୍ୱିତୀୟ ମୁକାବିଲା ମୁମ୍ବାଇ ଖିଲାଡି ଓ ଚେନ୍ନାଇ କ୍ୱିକ୍ ଗନ୍ ମଧ୍ୟରେ ଖେଳାଯିବ। ଉଭୟ ଦଳ ଗୋଟିଏ ଲେଖାଏ ବିଜୟ ସହିତ ପଏଣ୍ଟ ଟେବଲର ୪ ଓ ୫ ନମ୍ବର ସ୍ଥାନରେ ରହିଛନ୍ତି। ଗୁଜରାଟ ଜାୟାଣ୍ଟ୍ସ ୩ଟି ମ୍ୟାଚରୁ ସମାନ ସଂଖ୍ୟକ ବିଜୟ ସହିତ ପଏଣ୍ଟ ଟେବଲର ପ୍ରଥମ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ଜଗରନଟ୍ସ ପ୍ରଥମ ମୁକାବିଲାରେ ଚେନ୍ନାଇ କ୍ୱିକ୍ ଗନ୍ସକୁ ୫୧-୪୩ରେ ପରାସ୍ତ କରିଥିବା ବେଳେ ଗୁଜରାଟ ବିପକ୍ଷ ମ୍ୟାଚରେ ୫୪-୪୯ରେ ପରାଜିତ ହୋଇଥିଲା।


