ଓଡ଼ିଶା, ଝାଡ଼ଖଣ୍ଡରେ ହେବ ୪୧ ମେଗାୱାଟ୍‌ ସୋଲାର୍‌ ପ୍ରକଳ୍ପ

ଯାଜପୁର ଅଫିସ,୩୦।୧୦: ଓଡ଼ିଶା ଓ ଝାଡ଼ଖଣ୍ଡରେ ଗ୍ରୀଡ୍‌ ସଂଯୋଗ ଭିିତ୍ତିକ ୪୧ ମେଗାୱାଟ କ୍ଷମତା ବିଶିଷ୍ଟ ସୋଲାର୍‌ ପ୍ରକଳ୍ପ ସ୍ଥାପନ କରିବାକୁ ଟାଟା ଷ୍ଟିଲ୍‌ ଓ ଟାଟା ପାୱାର ମଧ୍ୟରେ ଏକ ୨୫ ବର୍ଷିଆ ଶକ୍ତି କିଣା ବୁଝାମଣା (ପିପିଏ)ରେ ଚୁକ୍ତି ହୋଇଛି। ମିଳିଥିବା ସୂଚନା ଅନୁସାରେ ଏହି ଯୋଜନାରେ ରୁଫ୍‌ଟପ୍‌, ଭାସମାନ ଓ ଭୂମି ସଲଗ୍ନ ସୋଲାର୍‌ ପ୍ୟାନେଲ୍‌ ଆଦି ପ୍ରକଳ୍ପ ରହିବ। ଟାଟା ପାୱାର ପକ୍ଷରୁ ଟାଟା ଷ୍ଟିଲ୍‌ର ଜାମସେଦ୍‌ପୁରରେ ୨୧.୯୭ ମେଗାୱାଟ୍‌ ଓ କଳିଙ୍ଗନଗରରେ ୧୯.୨୨ ମେଗାୱାଟ୍‌ର ଫଟୋଭୋଲ୍‌ଟାଇକ୍‌(ପିଭି) କ୍ଷମତା ବିକଶିତ କରାଯିବ। ଏହାସହ ଜାମସେଦ୍‌ପୁରରେ ଟାଟା ପାୱାର ପକ୍ଷରୁ ୭.୫୭ ମେଗାୱାଟ୍‌ର ରୁଫ୍‌ଟପ୍‌, ୧୦.୮୦ ମେଗାୱାଟ୍‌ର ଭାସମାନ ଓ ୩.୬ ମେଗାୱାଟ୍‌ର ଭୂମି ସଲଗ୍ନ କ୍ଷମତା ବିକଶିତ କରାଯିବ। ଜାମସେଦ୍‌ପୁରର ସୋନାରି ବିମାନ ବନ୍ଦରରେ ଭୂମି ସଲଗ୍ନ ପିଭି ସ୍ଥାପନ କରାଯିବ। କଳିଙ୍ଗନଗରରେ ୯.୧୨ ମେଗାୱାଟ୍‌ର ରୁଫ୍‌ଟପ୍‌ କ୍ଷମତା ଓ ୧୦.୧୦ ମେଗାୱାଟ୍‌ (ଏମ୍‌ଡବ୍ଲ୍ୟୁପି)ର ଭାସମାନ ପିଭି କ୍ଷମତା ରହିବ। ଏହି ୪୧.୧୯ ମେଗାୱାଟ୍‌ ସୋଲାର୍‌ ପ୍ରକଳ୍ପରୁ ପ୍ରଥମ ବର୍ଷ ୬ କୋଟି ୨ ଲକ୍ଷ ୮୦ ହଜାର ୯୫ କିଲୋୱାଟ୍‌ ଆୱାର୍‌ (କେଡବ୍ଲ୍ୟୁଏଚ୍‌) ବିଦ୍ୟୁତ୍‌ ଶକ୍ତି ଉପତ୍ନ୍ନ ହେବ। ୨୫ ବର୍ଷର ଜୀବନ କାଳରେ ଏହି ପ୍ରକଳ୍ପରୁ ୧୪୦ କୋଟି ୯୩ ଲକ୍ଷ ୬୧ ହଜାର ୪୮୮ କିଲୋୱାଟ୍‌ ଆୱାର୍‌ର ବିଦ୍ୟୁତ୍‌ ଶକ୍ତି ଉପତ୍ନ୍ନ ହେବ। ଏହି ପ୍ରକଳ୍ପ ବର୍ଷକୁ ୪୫,୨୧୦ ଟନ୍‌ ଓ ୨୫ ବର୍ଷର ଜୀବନ କାଳ ଭିତରେ ୧୦୫୭୦୨୧ ଟନ୍‌ ଅଙ୍ଗାରକାମ୍ଳ ସଞ୍ଚୟ କରିବ। ଜାମସେଦ୍‌ପୁରରେ ଏକ ୧୫ ମେଗାୱାଟ୍‌ ସୋଲାର୍‌ ପ୍ରକଳ୍ପ ସ୍ଥାପନ କରିବା ଲାଗି ଚଳିତ ବର୍ଷ ମାର୍ଚ୍ଚରେ ଉଭୟ କମ୍ପାନୀ ଘୋଷଣା କରିିଥିଲେ। ଏହି ପ୍ରକଳ୍ପରୁ ବର୍ଷକୁ ୩୨ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ ହେବ।