ଇ-ଶ୍ରମ ପୋର୍ଟାଲ ପଞ୍ଜୀକରଣରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର,୨୦।୯: ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜୀକରଣ ଲାଗି କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୨୬ରୁ ଆରମ୍ଭ କରାଯାଇଥିବା ଇ-ଶ୍ରମ ପୋର୍ଟାଲକୁ ଉତ୍ସାହଜନକ ସମର୍ଥନ ମିଳିଛି। ଉକ୍ତ ପୋର୍ଟାଲରେ ବର୍ତ୍ତମାନ ସୁଦ୍ଧା ୧କୋଟି ୩ ଲକ୍ଷ ୧୨ ହଜାର ୯୫ ଜଣ ଶ୍ରମିକ ପଞ୍ଜୀକରଣ କରିସାରିିଛନ୍ତି। ମୋଟ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରେ ୪୩% ମହିଳା ଏବଂ ୫୭% ପୁରୁଷ ରହିଛନ୍ତି। ସର୍ବାଧିକ ପଞ୍ଜୀକରଣ ହୋଇଥିବା ଶ୍ରେଷ୍ଠ ୧୬ଟି ରାଜ୍ୟ ମଧ୍ୟରୁ ବିହାର ପ୍ରଥମ ଏବଂ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଓଡ଼ିଶାର ୨୧ଲକ୍ଷ ୬୯ହଜାର ୫୫୪ଜଣ ଶ୍ରମିକ ପଞ୍ଜୀକରଣ କରିଥିବା ଜଣାପଡିଛି।
୨୦୧୯-୨୦ ଆର୍ଥିକ ସମୀକ୍ଷାର ତଥ୍ୟ ଅନୁଯାୟୀ ଦେଶରେ ଆନୁମାନିକ ୩୮ କୋଟି ଅସଂଗଠିତ ଶ୍ରମିକ ରହିଛନ୍ତି। ଏମାନଙ୍କ ପଞ୍ଜୀକରଣରେ ଜନସେବା କେନ୍ଦ୍ର ପ୍ରମୁଖ ଭୂମିକା ନେଇଛି। ଜନସେବା କେନ୍ଦ୍ର ମାଧ୍ୟମରେ ୬୮% ଶ୍ରମିକ ପଞ୍ଜୀକରଣ କରିଛନ୍ତି। ପଞ୍ଜୀକୃତ ଶ୍ରମିକମାନେ ଦୁର୍ଘଟଣା କ୍ଷେତ୍ରରେ ୨ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ୧ଲକ୍ଷ ଟଙ୍କାର ସ୍ଥାୟୀ ଅକ୍ଷମତା ବୀମା ପାଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।