ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡ଼ିଶା

ଭୁବନେଶ୍ୱର, ୨୫।୧(ବ୍ୟୁରୋ):  ବିଭିନ୍ନ ରାଜ୍ୟରୁ ମିଳିଥିବାରୁ ତଥ୍ୟ ଅନୁସାରେ ଦେଶରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ହୋଇଥିବା କେନ୍ଦ୍ର ସରକାର କହିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏ ନେଇ ପ୍ରତିକ୍ରିୟା ରଖିଛି। ସୋମବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ। କିନ୍ତୁ ଓଡ଼ିଶା ଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇଛି। ଗୋଷ୍ଠୀ ସଂକ୍ରମଣର ଅର୍ଥ ସ୍ଥାନୀୟ ଅଞ୍ଚଳରେ ଓମିକ୍ରନ୍‌ ସଂଖ୍ୟା ବଢ଼ିବା। ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ। କିଛିଦିନ ତଳେ ହୋଇଥିବା ଜିନୋମ ସିକ୍ୱେନ୍ସିଂ ଅନୁସାରେ ୬୦ ପ୍ରତିଶତ ଓମିକ୍ରନ ଥିଲା। ବାହାର ଦେଶକୁ ବିନା ଯାତ୍ରାରେ ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢୁଛି, ତାହାହେଲେ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି ସେ କହିଛନ୍ତି।
ସେପଟେ ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ହାର ବଢ଼ିଛି। ଗତ ୨୪ ଘଣ୍ଟାରେ ୬୧,୯୬୯ ନମୁନା ପରୀକ୍ଷା କରାଯାଇଥିବାବେଳେ ୭,୨୯୧ଜଣ ପଜିଟିଭ୍‌ ବାହାରିଛନ୍ତି। ସଂକ୍ରମଣ ହାର ୧୧.୭୭%କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧,୭୦୫ଜଣ ଥିବାବେଳେ ସୁନ୍ଦରଗଡ଼ରୁ ୬୪୬, କଟକ ୫୬୧, ବାଲେଶ୍ୱର ୩୪୩, ମୟୂରଭଞ୍ଜ ୨୨୯, ନବରଙ୍ଗପୁର ୧୪୮, ନୟାଗଡ଼ ୧୯୨, ନୂଆପଡ଼ା ୧୬୦, ପୁରୀ ୧୧୬, ରାୟଗଡ଼ା ୨୯୫, ସମ୍ବଲପୁର ୧୭୬, ସୋନପୁର ୨୮୨, ବଲାଙ୍ଗୀର ୨୧୮, ଯାଜପୁର ୨୦୩, ଅନୁଗୋଳ ୧୮୩, ଜଗତ୍‌ସିଂହପୁର ୧୨୧, କଳାହାଣ୍ଡି ୧୭୩, କେନ୍ଦୁଝର ୧୩୨, ବରଗଡ଼ ୧୩୦, କୋରାପୁଟ ୧୧୧ ଓ କେନ୍ଦ୍ରାପଡ଼ାରୁ ୧୦୯ଜଣ ରହିଛନ୍ତି। ଫଳରେ ମୋଟ ସଂକ୍ରମଣ ୧୨,୧୧,୯୫୧କୁ ବୃଦ୍ଧି ପାଇଛି। ଅପରପକ୍ଷେ ରାଜ୍ୟରେ ଆଉ ୫ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସମସ୍ତେ ମହିଳା ହୋଇଥିବାବେଳେ ଭୁବନେଶ୍ୱରରୁ ଦୁଇଜଣ, କଟକ, କେନ୍ଦୁଝର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ରହିଛନ୍ତି। ତେବେ କଟକ ମୃତକ ଜଣକ ୧୩ ବର୍ଷର ନାବାଳିକା ବୋଲି ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି। ଏମାନଙ୍କୁ ମିଶାଇ କରୋନାଜନିତ ମୃତ୍ୟୁ ୮,୫୨୫ରେ ପହଞ୍ଚତ୍ଛି।