ବିଶ୍ୱ ଆଶ୍ଚର୍ଯ୍ୟ ପଥରେ ଓଡ଼ିଶା

ସରକାର ଘୋଷଣା କରିଛନ୍ତି ଯେ, ୨୦୩୬ ସୁଦ୍ଧା ଓଡ଼ିଶା ଏକ ‘ବିକଶିତ’ ରାଜ୍ୟ ହୋଇଯିବ। ଓଡ଼ିଶା ଯଦି ଆଉ ମାତ୍ର ୧୨ ବର୍ଷରେ ‘ବିକଶିତ’ ରାଜ୍ୟ ହୋଇଯିବ ତେବେ ତାହା ଏକ ସର୍ବକାଳୀନ ବିଶ୍ୱସ୍ତରୀୟ ଆଶ୍ଚର୍ଯ୍ୟ ହେବା ନିଶ୍ଚିତ।
ଲୋକଙ୍କର ଆୟ କେତେ ହେଲେ, କେଉଁ ମାନର ଶିକ୍ଷା, ସ୍ବାସ୍ଥ୍ୟ ଓ ଶାସନ ବ୍ୟବସ୍ଥା ହେଲେ, କେତେ ଓ କେଉଁମାନର ଗମନାଗମନ ଓ ଯୋଗାଯୋଗର ସାଧନ ହେଲେ, ଆର୍ଥିକ ଓ ସାମାଜିକ ସୁରକ୍ଷାର ସ୍ତର କ’ଣ ହେଲେ ତଥା ଭିତ୍ତିଭୂମି ଓ ଢାଞ୍ଚାଗତ ବିକାଶର କେଉଁ ସ୍ତରକୁ ପହଞ୍ଚିଲେ ଗୋଟିଏ ରାଜ୍ୟ ବା ଦେଶକୁ ‘ବିକଶିତ’ ରାଜ୍ୟ ବା ଦେଶ କୁହାଯିବ ତାହାରି କିଛି ନିର୍ଦ୍ଦିଷ୍ଟ ଗାଣିତିକ ସୂତ୍ର ବା ସୂଚକ ନାହିଁ। ମୁଣ୍ଡ ପିଛା ଆୟକୁ ଏକ ସହଜ ପନ୍ଥା ବିଚାରି ଅନେକ ଅର୍ଥନୀତି ବିଶାରଦ ତାହାକୁ ବିକାଶର ଏକ ମାପକ ବୋଲି ଗ୍ରହଣ କରନ୍ତି। କିନ୍ତୁ ମୁଣ୍ଡ ପିଛା ଆୟକୁ ଅର୍ଥନୈତିକ ସ୍ଥିତିର ବିଚାରକରିବା ପାଇଁ ଉପଯୁକ୍ତ ମାନଦଣ୍ଡ ନୁହେଁ ବୋଲି ଅନେକ ବିଶେଷଜ୍ଞ କହନ୍ତି। ଉଭୟ ଯୁକ୍ତିର ତର୍କ ଅଛି। ଏବେ ବିକଶିତ କୁହାଯାଉଥିବା ପ୍ରାୟ ସମସ୍ତ ଦେଶର ମୁଣ୍ଡ ପିଛା ଆୟ ଆମ ଦେଶ ବା ରାଜ୍ୟର ମୁଣ୍ଡ ପିଛା ଅନ୍ୟଠାରୁ ଅନେକ ଗୁଣ ଅଧିକ। ତେବେ ଏମିତି ଅନେକ ଦେଶ ଅଛନ୍ତି ଯାହାର ମୁଣ୍ଡ ପିଛା ଆୟ ଆମ ଦେଶ ବା ଆମ ରାଜ୍ୟଠାରୁ ଅନେକ ଅଧିକ ହେଲେ ବି ତାଙ୍କୁ କୌଣସି ହିସାବରେ ବିକଶିତ ଦେଶ କୁହାଯାଇପାରିବ ନାହିଁ। ଆଫ୍ରିକାର ଗେବୋନ ଦେଶ ପ୍ରଚୁର ପ୍ରାକୃତିକ ତୈଳ ରପ୍ତାନି କରୁଥିବାରୁ ସେହି ଦେଶର ମୁଣ୍ଡ ପିଛା ଆୟ ଭାରତର ମୁଣ୍ଡ ପିଛା ଆୟର ୩ଗୁଣରୁ ଅଧିକ। କିନ୍ତୁ ସେହି ଦେଶର ପ୍ରାୟ ପ୍ରତି ୩ ବ୍ୟକ୍ତିରେ ଜଣେ ବ୍ୟକ୍ତି ଦାରିଦ୍ର୍ୟରେ ରହୁଛନ୍ତି ବୋଲି ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟ କହୁଛି। କାହିଁକି ଅନେକ ବିଶେଷଜ୍ଞ ମୁଣ୍ଡ ପିଛା ଆୟକୁ ପ୍ରଗତି ବା ଦାରିଦ୍ର୍ୟର ପ୍ରକୃତ ମାପକାଠି ବିଚାର କରନ୍ତି ନାହିଁ ଏହା ତାହାର ଏକ ଉଦାହରଣ। ତେବେ ମୁଣ୍ଡ ପିଛା ଆୟର ମାପକରେ ବି ଭାରତ ସାରା ବିଶ୍ୱର ଦେଶଗୁଡ଼ିକ ମଧ୍ୟରେ ଅତି ଦୟନୀୟ ୧୪୭ ତମ ସ୍ଥାନରେ ଅଛି ବୋଲି ବିଶ୍ବବ୍ୟାଙ୍କର ଏକ ରିପୋର୍ଟ କୁହେ। ଆମ ପଡ଼ୋଶୀ ଦେଶ ଚାଇନାର ମୁଣ୍ଡ ପିଛା ଆୟ ଭାରତର ୫ ଗୁଣରୁ ଅଧିକ।
ମାନବ ବିକାଶ ସୂଚକାଙ୍କକୁ ବିକାଶର ସ୍ଥିତିକୁ ମାପିବାର ଏକ ଉଚିତ ମାଧ୍ୟମ ବୋଲି ଅଧିକାଂଶ ବିଶେଷଜ୍ଞ ବିଚାରକରନ୍ତି। ସେଥିରେ ଉନ୍ନତ ଓ ସୁଖୀ ଜୀବନ ପାଇଁ ଆବଶ୍ୟକ ଉପାଦାନକୁ ବିଚାର କରାଯାଇଥାଏ। ମାନବ ବିକାଶ ସୂଚକାଙ୍କରେ ୧ ସ୍କୋର ରହିଲେ ସବୁ ମାନଦଣ୍ଡରେ ସେହି ଦେଶ ବିକଶିତ ବୋଲି ବିଚାର କରାଯିବ। ନରୱେ ୦.୯୮୧ ସ୍କୋର ରଖି ପୃଥିବୀରେ ପ୍ରଥମ ସ୍ଥାନରେ ରହିଛି। ଅର୍ଥାତ୍‌ ଏହି ଦେଶ ହେଉଛି ସବୁଠାରୁ ବିକଶିତ ଦେଶ। ମାତ୍ର ୦.୬୪୪ ସ୍କୋର ରଖି ଆମ ଦେଶ ୧୯୧ଟି ଦେଶର ସୂଚୀରେ ଦୟନୀୟ ୧୩୪ତମ ସ୍ଥାନରେ ଅଛି। ବିକାଶର ସ୍ତରକୁ ଆଉ ଏକ ସୂଚକାଙ୍କରେ ମପାଯାଏ। ତାହା ହେଲା, ‘ହ୍ୟାପିନେସ୍‌ ଇଣ୍ଡେକ୍ସ’ ବା ଖୁସି ସୂଚକାଙ୍କ। ଯେଉଁ ଦେଶର ଲୋକ ଯେତେ ଖୁସି ସେହି ଦେଶ ସେତେ ବିକଶିତ। ମାନବ ସୂଚକାଙ୍କର ସର୍ବାଗ୍ରେ ଥିବା ନରୱେର ଲୋକମାନେ ଖୁସି ସୂଚକାଙ୍କରେ ବି ସବୁଠୁ ଉପରେ। ଅର୍ଥାତ୍‌, ସେହି ଦେଶର ଲୋକେ ସବୁଠାରୁ ଅଧିକ ଖୁସି ଓ ତୃପ୍ତ। ଆମ ଦେଶ ଖୁସି ସୂଚକାଙ୍କରେ ନିହାତି ତଳେ ଗଡୁଛି। ବିଶ୍ୱର ୧୪୬ଟି ଦେଶର ସୂଚୀରେ ଭାରତ ୧୧୬ତମ ସ୍ଥାନରେ ଅଛି।
୨୦୨୧ରେ ଓଡ଼ିଶାର ମାନବ ଉନ୍ନୟନ ସ୍କୋର ଥିଲା ମାତ୍ର ୦.୫୯୭। ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ମଧ୍ୟରେ ଓଡ଼ିଶା ୩୦ତମ ସ୍ଥାନରେ ଥିଲା। ଭାରତର ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଥିବା କେରଳର ସ୍କୋର ଥିଲା ୦.୭୫୨। ଆଜି ଓଡ଼ିଶାର ମାନବ ସୂଚକାଙ୍କ ସ୍କୋର ଯାହା ଅଛି ୨୦୦୦ରେ ଚାଇନାର ସ୍କୋର ପ୍ରାୟ ସେତିକି ଥିଲା। ଏହି ସମୟ ମଧ୍ୟରେ ଚାଇନା ଖାଲି ଆଖିଦୃଶିଆ ନୁହେଁ, ଭେଳିକି ହୋଇଯିବା ଭଳି ହାରରେ ପ୍ରଗତି କରିଛି। କିନ୍ତୁ ସେତିକି କରି ଆଜି ତାହାକୁ ବିକଶିତ ଦେଶ ବୋଲି ଗଣାଯାଉ ନାହିଁ।
ଓଡ଼ିଶା ୨୦୩୬ରେ ବିକାଶର କେଉଁ ସ୍ତର ହାସଲ କରିବ ତାହା ସରକାର ଜଣାଇବା ଉଚିତ। ୨୦୧୫ ରେ ବିଶ୍ୱ ‘ପୋଷଣୀୟ ଉନ୍ନୟନ ଲକ୍ଷ୍ୟ’ ଯାହାକୁ ଇଂରାଜୀରେ ‘ସଷ୍ଟେନେବଲ ଡେଭେଲପମେଣ୍ଟ ଗୋଲ’ ସ୍ଥିର କରିବା ପରେ ବିଶ୍ୱ କ’ଣ ହାସଲ କରିବାକୁ ଚାହୁଁଛି ତାହାର ତାଲିକା ପ୍ରସ୍ତୁତ କରାଗଲା ଏବଂ ସେହି ଲକ୍ଷ୍ୟ ହାସଲ କରିବା ଦିଗରେ ବିଶ୍ୱ ଓ ବିଭିନ୍ନ ଦେଶ କେତେଦୂର ଅଗ୍ରଗତି କରୁଛି ତାହାର ନିୟମିତ ତର୍ଜମା ଚାଲିଛି। ସେମିତି, ଓଡ଼ିଶା ୨୦୩୬ ସୁଦ୍ଧା କେଉଁ ସ୍ତରର ବିକାଶ ହାସଲ କରିବ ତାହା ସ୍ଥିର କରିବା ସହ ସେହି ଲକ୍ଷ୍ୟ ହାସଲ କରିବାରେ କେତେ ଦୂର ଅଗ୍ରଗତି କରୁଛି ତାହାର ନିରନ୍ତର ସମୀକ୍ଷା କରିବା ଦରକାର।
ବିକଶିତ ରାଷ୍ଟ୍ରର ସର୍ବାଗ୍ରେ ଥିବା ଦେଶଗୁଡ଼ିକରେ ବିଦ୍ୟାଳୟର ମାନ ଅତି ଉନ୍ନତ। ପ୍ରାୟ ସମସ୍ତେ ସରକାରୀ ବିଦ୍ୟାଳୟରେ ପଢ଼ନ୍ତି ଓ ପଢ଼ିବା ସେଇଠି ମାଗଣା। ସେହି ଦେଶଗୁଡ଼ିକରେ ସରକାରୀ ଚିକିତ୍ସା ସେବା ଅତି ଉନ୍ନତ ଓ ମାଗଣା ଏବଂ ପ୍ରାୟ ସମସ୍ତେ ସରକାରୀ ଡାକ୍ତରଖାନାରେ ସେବା ପସନ୍ଦ କରନ୍ତି। ଆଞ୍ଜେଲା ମର୍କେଲ ୧୬ ବର୍ଷ ଧରି ବିତ୍ତଶାଳୀ ଜର୍ମାନୀ ଦେଶର ଶାସିକା ଥିଲେ। ସେ ଧନୀ ଥିଲେ। କିନ୍ତୁ ତାଙ୍କ ସନ୍ତାନମାନେ ସରକାରୀ ବିଦ୍ୟାଳୟରେ ହିଁ ପଢ଼ିଥିଲେ। ନରୱେର ପ୍ରଧାନମନ୍ତ୍ରୀ ହେଉଛନ୍ତି ଜୋନାସ୍‌ ଷ୍ଟୋର। ତାଙ୍କ ଝିଅ କୌଣସି ସମ୍ଭ୍ରାନ୍ତ ବେସରକାରୀ ବିଦ୍ୟାଳୟ ନୁହେଁ, ସରକାରୀ ବିଦ୍ୟାଳୟରେ ପଢ଼ନ୍ତି। ସେମାନେ ଅସୁସ୍ଥ ହେଲେ କୌଣସି ବେସରକାରୀ ଡାକ୍ତରଖାନା ନୁହେଁ ସରକାରୀ ଡାକ୍ତରଖାନାରେ ଚିକିତ୍ସା ଗ୍ରହଣ କରନ୍ତି। ମାଗଣା କିନ୍ତୁ ଅତି ଉନ୍ନତ ଶିକ୍ଷା, ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗାଇବା ସରକାରଙ୍କ କର୍ତ୍ତବ୍ୟ ବୋଲି ସେହି ଦେଶ ସବୁ ଗ୍ରହଣ କରିନେଇଛନ୍ତି। ସେଠି ସାମାଜିକ ସୁରକ୍ଷାର ବଳୟ ଅତ୍ୟନ୍ତ ସୁଦୃଢ଼। କେହି ଅସହାୟ ଓ ନିଃସହାୟ ପ୍ରାୟ ମନେକରନ୍ତି ନାହିଁ। ବିକଶିତ ରାଷ୍ଟ୍ରର ସୂଚୀରେ ଥିବା ଦେଶଗୁଡ଼ିକ ମଧ୍ୟରୁ ଅନେକ ଦେଶରେ ସାର୍ବଜନିକ ଗମନାଗମନ ମାଗଣା। ତାହାକୁ ବିକଶିତ ରାଜ୍ୟ କୁହାଯାଏ ଯେଉଁଠି (୧) ମୁଣ୍ଡ ପିଛା ଆୟ ଅଧିକ ଥିବ, (୨) ଲୋକଙ୍କର ଜୀବନ ଧାରଣର ମାନ ଉଚ୍ଚ ଥିବ, (୩) ପ୍ରାୟ ସମସ୍ତ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ରୋଜଗାର ମିଳୁଥିବ, (୪) ଆଇନର ଶାସନ ଥିବ ତଥା ଶାସନତନ୍ତ୍ର ବ୍ୟବସ୍ଥା ସୁଦୃଢ଼, ସମ୍ବେଦନଶୀଳ, ପାରଦର୍ଶୀ ଓ ଉତ୍ତରଦାୟୀ ଥିବ, (୫) ଉନ୍ନତ ମାନର ଓ ସୁରକ୍ଷିତ ଗମନାଗମନ ଓ ଯୋଗାଯୋଗର ସୁବିଧା ସମସ୍ତଙ୍କୁ ଉପଲବ୍ଧ ହେଉଥିବ, (୬) ଶିଳ୍ପ ଓ ପ୍ରଯୁକ୍ତି ବ୍ୟବହାରର ଉଚ୍ଚ ସୋପାନରେ ଥିବେ, (୭) ଉନ୍ନତ ଓ ସ୍ଥିର ସଂସ୍ଥାନିକ ବ୍ୟବସ୍ଥା ଥିବ, (୮) ଦାରିଦ୍ର୍ୟ ଓ ଭେଦଭାବ ନ ଥିବ, (୯) ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ବ୍ୟବସ୍ଥା ଉପଲବ୍ଧ ହେଉଥିବ, (୧୦) ସମସ୍ତଙ୍କୁ ଉଚ୍ଚମାନର ସ୍ବାସ୍ଥ୍ୟସେବା ଉପଲବ୍ଧ ହେଉଥିବ, (୧୧) ବିସ୍ତୀର୍ଣ୍ଣ ସାମାଜିକ ଓ ଆର୍ଥିକ ସୁରକ୍ଷାର ସୁଦୃଢ଼ ଢାଲ ଥିବ ଏବଂ (୧୨) ଲୋକେ ଖୁସିରେ ରହୁଥିବେ। ଆମେ ଆଶା କରିବା ଯେ ସରକାର ଆଉ ୧୨ ବର୍ଷରେ ଓଡ଼ିଶାକୁ ସେହି ସ୍ତରରେ ପହଞ୍ଚାଇବାର ସ୍ବପ୍ନ ଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri