ସ୍ଥଳଭାଗ ମୁହାଁ ‘ନିଭାର’, ଓଡ଼ିଶାକୁ ବାତ୍ୟା ଭୟ ନାହିଁ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ବଙ୍ଗୋପସାଗର ଦକ୍ଷିଣ-ପଶ୍ଚିମରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିଭାର’ ମଙ୍ଗଳବାର ରାତିରୁ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଏବେ ଉପକୂଳ ଆଡ଼େ ମାଡ଼ି ଆସୁଥିଲେ ମଧ୍ୟ ତା’ର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ପ୍ରଦୀପ କୁମାର ଜେନା ସ୍ପଷ୍ଟ କରିଛନ୍ତି। ତଥାପି ସମସ୍ତ ଜିଲାପାଳଙ୍କୁ ପରିସ୍ଥିତିର ଅନୁଧ୍ୟାନ କରିବା ସହ କୌଣସି ପ୍ରକାରର ଅଘଟଣର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଇ ଦିଆଯାଇଛି।

ତେବେ ୨୫ ଓ ୨୬ ତାରିଖ ଦୁଇଦିନ ରାଜ୍ୟର କେତେକ ଜିଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ କୌଣସି ସତର୍କ ସୂଚନା ନାହିଁ। ମାତ୍ର ସେମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ କୁହାଯାଇଛି।

ଗୁରୁବାର ସକାଳ ସୁଦ୍ଧା ଏହି ବାତ୍ୟା ପୁଡୁଚେରୀର ପୂର୍ବଦକ୍ଷିଣରେ ୨୫୦କିମି ଓ ଚେନ୍ନାଇର ଦକ୍ଷିଣ-ପୂର୍ବରେ ୩୦୦କିମି ଦୂରରେ ରହିଥିଲା। ଏହା ଗତ ୬ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୧କିମି ବେଗରେ ଉପକୂଳ ଅଭିମୁଖେ ଆସୁଥିବାବେଳେ ଆସନ୍ତା ୬ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ଆଶଙ୍କା ରହିଛି। ଏହା ୨୫ ତାରିଖ ମଧ୍ୟରାତ୍ର କିମ୍ବା ୨୬ତାରିଖ ଭୋର୍‌ ସମୟରେ ତାମିଲନାଡୁ ଓ ପୁଡୁଚେରୀର ଉପକୂଳର କାରାଇକଲ ଓ ମାମଲାପୁରମ ମଧ୍ୟରେ ସ୍ଥଳଭାଗ ଛୁଇଁବ। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦-୧୩୦ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।