୨ ଲକ୍ଷ ଆବାସ ନିର୍ମାଣ କରି ଓଡ଼ିଶା ଆଗରେ

ଭୁବନେଶ୍ୱର,୪ା୧୨(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ବା ପିଏମ୍‌ଏଓ୍ବାଇ(ଜି)ରେ ଚଳିତ ଆର୍ଥିକ ବର୍ଷରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ପକ୍କାଘର ନିର୍ମାଣ କରି ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ସମଗ୍ର ଦେଶର ୧୧ ଲକ୍ଷ ୮୩ ହଜାର ୭୭୯ ପକ୍କାଘର ନିର୍ମାଣ ହୋଇଛି। ସେଥିମଧ୍ୟରୁ ଓଡ଼ିଶାରେ କେବଳ ୨ ଲକ୍ଷରୁ ଅଧିକ ଗୃହ ନିର୍ମାଣ ହୋଇଛି। ସାରା ଦେଶରେ ଓଡ଼ିଶା ସବୁଠାରୁ ଆଗରେ ଥିବାବେଳେ ଉତ୍ତରପ୍ରଦେଶ ଦ୍ୱିତୀୟ ଏବଂ ଆସାମ ତୃତୀୟ ସ୍ଥାନ ଅଧିକାର କରିଛି।
ମିଳିଥିବା ତଥ୍ୟ ଅନୁଯାୟୀ, ଉତ୍ତର ପ୍ରଦେଶ ଏବଂ ଆସାମ ଦେଢ଼ ଲକ୍ଷ ଘର ନିର୍ମାଣ କରିଥିବାବେଳେ ମଧ୍ୟପ୍ରଦେଶରେ ୮୯ ହଜାର, ଗୁଜରାଟରେ ୮୫ ହଜାର, ତ୍ରିପୁରାରେ ୭୦ ହଜାର ୯୨୫, ଛତିଶଗଡ଼ରେ ୭୦ ହଜାର, ତାମିଲନାଡୁରେ ୬୫ ହଜାର, ବିହାରରେ ୫୫ ହଜାର, ମହାରାଷ୍ଟ୍ରରେ ୫୪ ହଜାର, ଝାଡ଼ଖଣ୍ଡରେ ୪୫ହଜାର, ଜମ୍ମୁ କଶ୍ମୀରରେ ୨୩ ହଜାର, କର୍ନାଟକରେ ୧୮ ହଜାର, ରାଜସ୍ଥାନରେ ୧୪ ହଜାର, ଆନ୍ଧ୍ରପ୍ରଦେଶରେ ୧୪ ହଜାର, ଉତ୍ତରାଖଣ୍ଡରେ ୧୨ ହଜାର, ଅରୁଣାଚଳ ପ୍ରଦେଶରେ ୧୧ ହଜାର, ପଶ୍ଚିମବଙ୍ଗରେ ୮ ହଜାର, ମେଘାଳୟରେ ୭ ହଜାର, କେରଳରେ ୩ ହଜାର, ହରିୟାଣାରେ ୧୯୦୦, ନାଗାଲାଣ୍ଡରେ ୧୮୦୦, ହିମାଚଳ ପ୍ରଦେଶରେ ୧୭୩୯, ମିଜୋରାମରେ ୧୬୬୫, ମଣିପୁରରେ ୧୬୫୦, ପଞ୍ଜାବରେ ୯୪୫, ଲଦାଖରେ ୫୯୮, ଦାଦ୍ରା ଏବଂ ନଗର ହାବେଳିରେ ୨୬୬, ସିକିମ୍‌ରେ ୧୪୯, ଗୋଆରେ ୭୫, ଆଣ୍ଡାମାନ ଏବଂ ନିକୋବରରେ ୨୨, ଡାମନ ଏବଂ ଡିଉରେ ୩, ଲାକ୍ଷାଦ୍ୱୀପରେ ୧ ଘର ନିର୍ମାଣ ହୋଇଛି। ପୁଡୁଚେରୀ ଏବଂ ତେଲଙ୍ଗାନାରେ ଗୋଟିଏ ହେଲେ ପିଏମ୍‌ଏଓ୍ବାଇ(ଜି) ଆବାସ ଚଳିତ ଆର୍ଥିକ ବର୍ଷରେ ହୋଇ ନ ଥିବା ତଥ୍ୟରେ ଉଲ୍ଲେଖ ରହିଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ ୯ ବର୍ଷ ମଧ୍ୟରେ ଓଡ଼ିଶାରେ ୩୩ ଲକ୍ଷରୁ ଊର୍ଦ୍ଧ୍ୱ ଗୃହ ନିର୍ମାଣ ହୋଇଛି। ତୁରନ୍ତ ଗୃହ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଏ ବାବଦରେ ବର୍ତ୍ତମାନ ପର୍ଯ୍ୟନ୍ତ ୮ ଲକ୍ଷ ୩୦ ହଜାର ପରିବାରକୁ ୧୩୬୩ କୋଟି ଟଙ୍କା ପ୍ରଦାନ କରାଯାଇଛି।