ଜାତୀୟସ୍ତରରେ ଓଡ଼ିଶା ସମ୍ମାନିତ: ପିଏମ୍‌ ସ୍ବନିଧି ସମ୍ମାନରେ ଓଡ଼ିଶା ତୃତୀୟ

ଭୁବନେଶ୍ୱର,୨୩।୧୧(ରବିନାରାୟଣ ଜେନା): ପିଏମ୍‌ ସ୍ବନିଧି ସମ୍ମାନ ପୁରସ୍କାର-୨୦୨୬ର ‘ଶ୍ରେଷ୍ଠ ପ୍ରଦର୍ଶନକାରୀ -ଦ୍ରୁତତମ ଅଗ୍ରଗାମୀ’ ବର୍ଗରେ ଓଡ଼ିଶା ତୃତୀୟ ସ୍ଥାନ ହାସଲକରି ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି ବୋଲି ରାଜ୍ୟ ଭାଜପା ମୁଖପାତ୍ର ଡ. ତପନ ଚାନ୍ଦ କହିଛନ୍ତି। ଚାନ୍ଦ ରବିବାର ଗଣମାଧ୍ୟମକୁ କହିଛନ୍ତି, ଏହି ସଫଳତା ତୃଣମୂଳସ୍ତରର ଉଦ୍ୟୋଗୀମାନଙ୍କ ସଶକ୍ତୀକରଣକୁ ମଧ୍ୟ ପ୍ରତିଫଳିତ କରୁଛି। ଭାରତ ସରକାରଙ୍କ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍‌ ଭେଣ୍ଡର୍ସ ଆତ୍ମନିର୍ଭର ନିଧି ବା ପିଏମ୍‌ ସ୍ବନିଧି ଯୋଜନା। ଏହି ଯୋଜନା କେବଳ ଆର୍ଥିକ ସହାୟତା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ରାସ୍ତାକଡ଼ ବିକ୍ରେତାମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେଉଛି। ଉଠାଦୋକାନୀ ଏବଂ ରାସ୍ତାକଡ଼ ବ୍ୟବସାୟୀମାନଙ୍କୁ ବିନା କୌଣସି ବନ୍ଧକରେ ଋଣ ଯୋଗାଇଦେଇ ସେମାନଙ୍କ ଜୀବିକାକୁ ସୁଦୃଢ଼ ଏବଂ ଆତ୍ମନିର୍ଭରଶୀଳ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ।
ଚାନ୍ଦ ଆହୁରି କହିଛନ୍ତି, ରାସ୍ତାକଡ଼ ବ୍ୟବସାୟୀମାନେ ସ୍ଥାନୀୟ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେମାନେ ସୁଲଭ ମୂଲ୍ୟରେ ସାମଗ୍ରୀ ଓ ଅତ୍ୟାବଶ୍ୟକ ସେବା ଯୋଗାଇବା ସହ ହଜାର ହଜାର ପରିବାର ପାଇଁ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରୁଛନ୍ତି। ଜାତୀୟସ୍ତରରେ ସେମାନଙ୍କର ଏହି ସଫଳତା ପ୍ରମାଣ କରୁଛି ଯେ, ଉଦ୍ୟୋଗୀ ହେବା କେବଳ ବୃହତ୍‌ ଶିଳ୍ପ କିମ୍ବା ପ୍ରତିଷ୍ଠିତ ବ୍ୟବସାୟ ପାଇଁ ସୀମିତ ନୁହେଁ; ଦୃଢ଼ ଇଚ୍ଛାଶକ୍ତି, ନୂତନ ଚିନ୍ତାଧାରା ଓ କଠିନ ପରିଶ୍ରମ ଦ୍ୱାରା ତୃଣମୂଳସ୍ତରରେ ମଧ୍ୟ ସଫଳ ଉଦ୍ୟୋଗ ସୃଷ୍ଟି ହୋଇପାରିବ। ତେବେ ୨୦୨୫ ସେପ୍ଟେମ୍ବର ୧ରୁ ୨୦୨୬ ଅଗଷ୍ଟ ୩୧ ମଧ୍ୟରେ ରାଜ୍ୟର ପ୍ରଦର୍ଶନକୁ ଆଧାରକରି ଏହି ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷକରି ବିନା ବନ୍ଧକରେ ଋଣ ପ୍ରଦାନ, ଡିଜିଟାଲ୍‌ କାରବାରକୁ ପ୍ରୋତ୍ସାହନ ଏବଂ ରାସ୍ତାକଡ଼ ବ୍ୟବସାୟୀ ଓ ସେମାନଙ୍କ ପରିବାରକୁ ପିଏମ୍‌ ଜୀବନ ଜ୍ୟୋତି ବୀମା ଯୋଜନା ଭଳି ୮ଟି ସାମାଜିକ ସୁରକ୍ଷା ଯୋଜନା ସହ ଯୋଡ଼ିବା ଏହାର ପ୍ରମୁଖ ଲକ୍ଷ୍ୟ। ପିଏମ୍‌ ସ୍ବନିଧି ଯୋଜନା ଅଧୀନ ତିନୋଟି ପର୍ଯ୍ୟାୟରେ ୯୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ମିଳୁଛି। ଏହା ସହିତ ୭% ସୁଧ ସବ୍‌ସିଡି ମଧ୍ୟ ପ୍ରଦାନ କରାଯାଉଛି। ଏହି ଯୋଜନା ରାସ୍ତାକଡ଼ ବ୍ୟବସାୟୀଙ୍କୁ ଔପଚାରିକ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ସହ ଯୋଡ଼ିବା ସହିତ ଡିଜିଟାଲ୍‌ ପେମେଣ୍ଟକୁ ପ୍ରୋତ୍ସାହିତ କରୁଛି। ଏହି କ୍ରେଡିଟ୍‌ କାର୍ଡରେ ୩୦,୦୦୦ ଟଙ୍କାର ଅତିରିକ୍ତ ଋଣ ସୀମା ରହିଛି, ଯାହା ମୋଟ ଋଣ ରାଶିଠାରୁ ଅଲଗା। ଏହି ଯୋଜନାର ସୁବିଧା ସହରାଞ୍ଚଳ, ସହର ଉପକଣ୍ଠ ଅଞ୍ଚଳ ଏବଂ ଅନ୍ୟାନ୍ୟ ଯୋଗ୍ୟ ଅଞ୍ଚଳର ବ୍ୟବସାୟୀମାନଙ୍କୁ ମିଳୁଛି। ଯୋଗ୍ୟ ବ୍ୟବସାୟୀମାନେ ପିଏମ୍‌ ସ୍ବନିଧି ପୋର୍ଟାଲ୍‌ କିମ୍ବା ଅନୁମୋଦିତ ବ୍ୟାଙ୍କିଙ୍ଗ୍‌ ସଂସ୍ଥା ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ୨୦୨୬ ସୁଦ୍ଧା ଏହି ଯୋଜନାରେ ମୋଟ ୭୬.୯୫ ଲକ୍ଷ ରାସ୍ତାକଡ଼ ବ୍ୟବସାୟୀ ଉପକୃତ ହୋଇଛନ୍ତି। ଏଥିମଧ୍ୟରୁ ୯୫% ହିତାଧିକାରୀଙ୍କ ପାଇଁ ଏହା ପ୍ରଥମ ବ୍ୟାଙ୍କଋଣ ବୋଲି ଚାନ୍ଦ କହିଛନ୍ତି।

Dharitri – Odisha’s No.1 Odia Daily

Share