ଓଡ଼ିଶା ମାଗିଲା ୨୫ ଲକ୍ଷ ଟିକା

ଭୁବନେଶ୍ୱର,୧୩ା୫(ବ୍ୟୁରୋ):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତି। ତେବେ ଟିକା ପର୍ଯ୍ୟାପ୍ତ ଉପଲବ୍ଧ ହେଉ ନ ଥିବାରୁ ଟିକାଦାନ ବାଧାପ୍ରାପ୍ତ ହେଉଛି। ତେଣୁ ତୁରନ୍ତ ୨୫ ଲକ୍ଷ ଟିକା ଯୋଗାଇ ଦେବାକୁ କେନ୍ଦ୍ର ନିକଟରେ ଓଡ଼ିଶା ଦାବି କରିଛି। ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ସହ ବୈଠକ ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ଦାବି କରିଛନ୍ତି। ନବ କହିଛନ୍ତି ଯେ ରାଜ୍ୟରେ ୨୨ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍‌ ନେବାକୁ ଅପେକ୍ଷା କରିଛନ୍ତି। ସେଥିପାଇଁ ଓଡ଼ିଶାକୁ ତୁରନ୍ତ ୨୫ ଲକ୍ଷ ଡୋଜ୍‌ ଯୋଗାଇ ଦିଆଯାଉ। ଓଡ଼ିଶାରେ ଅକ୍ସିଜେନ ପର୍ଯ୍ୟାପ୍ତ ଥିଲେ ବି ସିଲିଣ୍ଡର ଅଭାବ ରହିଛି। ୩୦ ହଜାର ସିଲିଣ୍ଡର ଯୋଗାଇ ଦେବା ସହ ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌, ପିପିଇ କିଟ୍‌ ଓ ମାସ୍କ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଏସବୁ ଦାବିକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି କହିଛନ୍ତି। ଗୁରୁତର କୋଭିଡ୍‌ ରୋଗୀଙ୍କ ପାଇଁ ଅକ୍ସିଜେନ୍‌ ଦରକାର ପଡୁଛି। ହେଲେ ଦେଶର ଅଧିକାଂଶ ମେଡିକାଲରେ ଅକ୍ସିଜେନର ଘୋର ଅଭାବ ରହୁଥିବାରୁ ରୋଗୀଙ୍କ ମୃତ୍ୟୁ ଘଟୁଛି।