ଅବଧି ୧୦ ଦିନ ବୃଦ୍ଧି ପାଇଁ ୟୁଜିସିକୁ ଅନୁରୋଧ

ଭୁବନେଶ୍ୱର, ୨।୯(ବ୍ୟୁରୋ): ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ସେପ୍ଟେମ୍ବର ୩୦ ସୁଦ୍ଧା ସାରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଧାର୍ଯ୍ୟ କରାଯାଇଛି। ହେଲେ ଏହାକୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ୟୁଜିସି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର ଏହି ମର୍ମରେ ଏକ ଅନୁରୋଧପତ୍ର ୟୁଜିସି ସଚିବଙ୍କ ନିକଟକୁ ପଠାଇଛନ୍ତି।
କୋଭିଡ୍‌-୧୯ ସ୍ଥିତିରେ ସରକାରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକାର ଅନୁପାଳନ ଓ ସାମାଜିକ ଦୂରତ୍ୱ ବଜାୟ ରଖି ୟୁଜିସି ଦ୍ୱାରା ଧାର୍ଯ୍ୟ ସମୟସୀମା ମଧ୍ୟରେ ସମସ୍ତ ପରୀକ୍ଷା ଶେଷ କରିବା କଷ୍ଟକର ବୋଲି ଅଗଷ୍ଟ ୩୧ରେ ଅନୁଷ୍ଠିତ ବୈଠକରେ ବିଶ୍ୱବିଦ୍ୟାଳୟ କୁଳପତି ଓ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ମତ ଦେଇଥିଲେ। ପରୀକ୍ଷା ପରିଚାଳନା ପ୍ରସ୍ତୁତି ନିମନ୍ତେ ଅନ୍ତତଃ ୨୦ ଦିନ ଆବଶ୍ୟକ ହୋଇଥାଏ। ସେପ୍ଟେମ୍ବର ୩୦ ମଧ୍ୟରେ ସମସ୍ତ ପରୀକ୍ଷା ଶେଷ କରିବାକୁ ହେଲେ ଗୋଟିଏ ଦିନରେ ଏକାଧିକ ପରୀକ୍ଷା କରିବାକୁ ପଡ଼ିବ ଓ ଏଥିପାଇଁ ଛାତ୍ରୀଛାତ୍ରଙ୍କ ସମାଗମ ଅଧିକ ହେବ। କୋଭିଡ୍‌ ମାର୍ଗଦର୍ଶିକା ଅନୁପାଳନରେ ସମସ୍ୟା ଦେଖାଦେବ। ତେଣୁ ଅନ୍ତତଃ ପରୀକ୍ଷା ପାଇଁ ଧାର୍ଯ୍ୟ ସମୟସୀମାକୁ ୧୦ଦିନ ବୃଦ୍ଧି କରିବା ପାଇଁ ବୈଠକରେ କୁଳପତିମାନେ ଅନୁରୋଧ କରିଥିଲେ। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥିତିର ସମୀକ୍ଷା କରାଯାଇଥିଲା। ଛାତ୍ରୀଛାତ୍ରଙ୍କ ସମାଗମ ହ୍ରାସ କରାଯିବା ସହ ଯେପରି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ଠିକ୍‌ ଭାବରେ ସାନିଟାଇଜ କରିବା ନିମନ୍ତେ ଅନ୍ତତଃପକ୍ଷେ ଗୋଟିଏ ଦିନ ଲେଖାଏ ବ୍ୟବଧାନ ମିଳିପାରିବ, ସେଥିନିମନ୍ତେ ସମୟସୀମା ବୃଦ୍ଧିର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ସମୟସୀମା ବୃଦ୍ଧି ନିମନ୍ତେ ୟୁଜିସି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।