ଏବର୍ଷ କେବଳ ପରମ୍ପରା ବଜାୟ ରଖିବା ପାଇଁ ହେବ ପୂଜା: ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍‌ ଜାରି

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବରର ପର୍ବପର୍ବାଣୀ ପାଇଁ ଗୁରୁବାର ଗାଇଡଲାଇନ୍‌ ଜାରି କରାଯାଇଛି। ଆଗକୁ ଆସୁଥିବା ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀପୂଜା ପାଳନ ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ମଣ୍ଡପରେ ପୂଜା ପାଇଁ ଜିଲାପାଳ, କମିଶନରଙ୍କଠାରୁ ଅନୁମତି ଆଣିବା ଜରୁରୀ ବୋଲି କୁହାଯାଇଛି। ତେବେ ଜିଲାଗୁଡ଼ିକରେ ଜିଲାପାଳ ଏବଂ ଟୁଇନ୍‌ସିଟିରେ ପୋଲିସ କମିଶନରଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ। ତେବେ କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇପାରିବ। ଏଥିରେ ସାଧାରଣ ଲୋକ ଭାଗ ନେଇ ପାରିବେ ନାହିଁ। ଏପରିକି ଗହଳି ହୋଇପାରିବ ନାହିଁ। ପୂଜା ମଣ୍ଡପଗୁଡ଼ିକ ତିନି ପାର୍ଶ୍ୱରୁ ସମ୍ପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାର୍ଶ୍ୱରୁ ଆଶିଂକ ବନ୍ଦ ରହିବ ଯେପରି ସାଧାରଣଲୋକ ଯେଭଳି ପ୍ରତିମା ଦେଖିପାରିବେ ନାହିଁ। ଏହାଛଡ଼ା ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ। ବିଭିନ୍ନ ମଣ୍ଡପରେ ମୂର୍ତ୍ତି ଗୁଡ଼ିକର ଉଚ୍ଚତା ୪ ଫୁଟ୍‌ରୁ କମ୍‌ ରହିବ। କେବଳ କର୍ତ୍ତା ଓ ବ୍ରାହ୍ମଣଙ୍କୁ ମିଶାଇ ୭ଜଣରୁ ଅଧିକ ରହିପାରିବେ ନାହିଁ। ମଣ୍ଡପରେ ଉପସ୍ଥିତି ସମସ୍ତେ ସାମାଜିକ ଦୂରତ୍ୱ ଏବଂ ମାସ୍କ ନିୟମ ମାନିବାକୁ ବାଧ୍ୟ । ଏହାଛଡ଼ା ଭସାଣ ଉତ୍ସବ ହେବ ନାହିଁ। କୃତ୍ରିମ ପୋଖରୀରେ ମୂର୍ତ୍ତୀ ବିସର୍ଜନ କରାଯିବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।