ଚାକିରିରୁ ବିଦା ହେଲେ ବରିଷ୍ଠ ଆଇଏଏସ୍‌ ଅଫିସର ବିନୋଦ କୁମାର

ଭୁବନେଶ୍ୱର,୨।୨(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ ଅଫିସର ତଥା ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଚାକିରିରୁ ବହିଷ୍କାର କରିଛନ୍ତି। ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବାରୁ ତାଙ୍କୁ ଚାକିରୀରୁ ବିଦା କରାଯାଇଥିବା ନେଇ ବୁଧବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ବିନୋଦ ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ବେଳେ କୋଟି କୋଟି ଟଙ୍କାର ଘୋଟାଲା କରିଥିଲେ। ସେହି ସମୟରେ ମହାବାତ୍ୟା ହୋଇଥିବା ବେଳେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ଦେଖାଇ ସେ ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଞ୍ଜୁର କରିଥିଲେ। ଏଥିଯୋଗୁ ରାଜ୍ୟ ସରକାରଙ୍କ ବହୁ ଟଙ୍କା କ୍ଷତି ହୋଇଥିଲା। ଖୋଳତାଡ଼ କରାଯିବା ପରେ ବିନୋଦଙ୍କ ନାମରେ ରାଜ୍ୟ ସରକାର ୨୭ଟି ଭିଜିଲାନ୍ସ କେସ୍‌ କରିଥିଲେ। ସେଥିରୁ ୨ଟିରେ ବିନୋଦ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ ତାଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି।