ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ୬୧ ପଦବୀ ସୃଷ୍ଟି କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୯ା୩: ବିଭିନ୍ନ ବିଭାଗରେ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଲୋକଭିମୁଖୀ ଯୋଜନା ଗୁଡିକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ କାର୍ଯ୍ୟ । ଏହି ଦୃଷ୍ଟିରୁ ଲୋକ ସମ୍ପର୍କ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବା ପାଇଁ ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ସୂଚନା ସେବା ସଂବର୍ଗର ପୁନର୍ବିନ୍ୟାସ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହି ପୁନର୍ବିନ୍ୟାସ ଦ୍ବାରା ଓଡିଶା ସୂଚନା ସେବା ସଂବର୍ଗରେ ୬୧ ଗୋଟି ପଦବୀ ସୃଷ୍ଟି ହେବ ସହ ୪ ଗୋଟି ପଦବୀ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପୁନର୍ବିନ୍ୟାସ ସଂବର୍ଗକୁ କ୍ରିୟାଶୀଳ କରିବା ସହ ପଦୋନ୍ନତି ର ସୁଯୋଗ ପ୍ରଦାନ କରିବ। ଉକ୍ତ ୬୧ ଗୋଟି ପଦବୀରୁ, ୪୬ ଗୋଟି ପଦବୀ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ (ଓଡିଶା ସୂଚନା ସେବା-୨) ସ୍ତରରେ ସୃଷ୍ଟି କରାଯାଇଛି, ଯାହା ମଧ୍ୟରୁ ୨୦ ଗୋଟି ପଦବୀ ରାଜ୍ୟ ର ୨୦ ଟି ଉପଖଣ୍ଡ ନିମନ୍ତେ, ୮ ଗୋଟି ପଦବୀ ବିଭିନ୍ନ ବିଭାଗରେ ଲୋକ ସମ୍ପର୍କ ଅଧିକାରୀ ନିମନ୍ତେ, ୨ ଗୋଟି ପଦବୀ ସାମାଜିକ ଗଣ ମାଧ୍ଯମ କାର୍ଯ୍ୟକଳାପ ନିମନ୍ତେ, ୬ ଗୋଟି ଲୋକ ସମ୍ପର୍କ ଅଧିକାରୀ ପଦବୀ ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ କାର୍ଯ୍ୟାଳୟ ନିମନ୍ତେ, 2 ଗୋଟି ଲୋକ ସମ୍ପର୍କ ଅଧିକାରୀ ପଦବୀ ଭୁବନେଶ୍ଵର ତଥା କଟକ ନଗର ନିଗମ ନିମନ୍ତେ ଏବଂ ୮ ଗୋଟି ପଦବୀ ଛୁଟି, ପ୍ରଶିକ୍ଷଣ ତଥା ପ୍ରତିନିଯୁକ୍ତି (Leave, Training and Deputation) ନିମନ୍ତେ ଉଦ୍ଦିଷ୍ଟ।

ସେହିପରି, ୧୦ ଗୋଟି ପଦବୀ ସୂଚନା ଲୋକ ସମ୍ପର୍କ ଅଧିକାରୀ (ଓଡିଶା ସୂଚନା ସେବା- କନିଷ୍ଠ ଶାଖା) ସ୍ତରରେ ସୃଷ୍ଟି କରାଗଲା । ଏହି ୧୦ ଗୋଟି ପଦବୀ ମଧ୍ଯରୁ ୪ ଗୋଟି ପଦବୀ, ଯଥା- (୧) Manager, Publications, (9) Stores Officer, (1) Research & Reference Officer, (୪) DIPRO, Rourkela କୁ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ (ଓଡିଶା ସୂଚନା ସେବା-୨) ସ୍ତରରୁ ଉଚ୍ଛେଦ କରି ସୃଷ୍ଟି କରାଗଲା। ଅନ୍ୟ ୬ ଗୋଟି ପଦବୀ ଯଥା- ୧ ଗୋଟି ଲୋକ ସମ୍ପର୍କ ଅଧିକାରୀ ପଦବୀ, ଓଡିଶା ବିଧାନ ସଭା ନିମନ୍ତେ, ୧ ଗୋଟି ପଦବୀ ସହକାରୀ ନିର୍ଦ୍ଦେଶକ (ସାମାଜିକ ଗଣମାଧ୍ଯମ) ଏବଂ ୪ ଗୋଟି ପଦବୀ ପଦବୀ ଛୁଟି, ପ୍ରଶିକ୍ଷଣ ତଥା ପ୍ରତିନିଯୁକ୍ତି ନିମନ୍ତେ ଉଦ୍ଦିଷ୍ଟ ରହିଛି।ଏହା ସହ ୨ ଗୋଟି ଉପ ନିର୍ଦ୍ଦେଶକ ପଦବୀ, ୨ ଗୋଟି ଯୁଗ୍ମ ନିର୍ଦ୍ଦେଶକ ପଦବୀ ଏବଂ ୧ ଗୋଟି ଅତିରିକ୍ତ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯାଇଛି।