ଭୁବନେଶ୍ୱର, ୨୩।୬: ଓଡ଼ିଶା ସରକାର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକୁ ୨୦୨୫ ମସିହା ଜୁନ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିବସରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ନେଇ ସମ୍ବିଧାନର ମୂଲ୍ୟବୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଜାରି ହୋଇଥିବା ଏକ ପତ୍ରରେ ଏହି ଦିବସକୁ ଜାତୀୟ ସ୍ତରରେ ପାଳନ କରିବାର ଗୁରୁତ୍ୱ ଉପରେ ଜୋର ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଜୁଲାଇ ୧୧ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜୁନ ୨୫କୁ ‘ସଂବିଧାନ ହତ୍ୟା ଦିବସ’ ଭାବେ ଘୋଷଣା କରିଥିଲା, ଯାହା ୧୯୭୫ ମସିହା ଜୁନ ୨୫ରେ ଭାରତରେ ଜରୁରୀକାଳୀନ ସ୍ଥିତି ଲାଗୁ ହେବାର ୫୦ତମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପାଳିତ ହେବ।
୨୫ ଜୁନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ:
ସଚେତନତା ରାଲି: ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରୁଥିବା ପ୍ଲାକାର୍ଡ ଓ ସ୍ଲୋଗାନ ସହ ଜନସଚେତନତା ରାଲିରେ ଅଂଶଗ୍ରହଣ କରିବେ।
ବିତର୍କ, କର୍ମଶାଳା ଓ ବକ୍ତୃତା: ସଂବିଧାନର ଅଧିକାର ଓ କର୍ତ୍ତବ୍ୟ ଏବଂ ଜରୁରୀକାଳୀନ ସ୍ଥିତିର ଐତିହାସିକ ଗୁରୁତ୍ୱ ଉପରେ ଆଲୋଚନା।
ଉଦ୍ଘାଟନୀ ସେମିନାର: ରାଜନୀତି ବିଜ୍ଞାନ ବିଭାଗ ଦ୍ୱାରା ଭାରତୀୟ ସଂବିଧାନର ପ୍ରସ୍ତାବନା ଉପରେ ଏକ ସେମିନାର ଆୟୋଜନ।
ଆଲୋଚନା ପରିଷଦ: ଆଇନ ବିଶେଷଜ୍ଞ, ଶିକ୍ଷାବିତ ଓ ଛାତ୍ରଛାତ୍ରୀଙ୍କୁ ନେଇ ଗଣତନ୍ତ୍ର ଓ ନାଗରିକ ଦାୟିତ୍ୱ ବିଷୟରେ ଆଲୋଚନା।
ପ୍ରତିଯୋଗିତା: ସମ୍ବିଧାନ ବିଷୟକୁ ନେଇ ରଚନା, ପୋଷ୍ଟର ନିର୍ମାଣ, ସ୍ଲୋଗାନ ଲେଖନ ଓ କୁଇଜ ପ୍ରତିଯୋଗିତା।
ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ: ସମ୍ବିଧାନ କିମ୍ବା ଏହା ସହ ଜଡ଼ିତ ଐତିହାସିକ ଘଟଣାବଳୀ ଉପରେ ଡକ୍ୟୁମେଣ୍ଟାରୀ କିମ୍ବା ସଂକ୍ଷିପ୍ତ ଚଳଚ୍ଚିତ୍ର ପ୍ରଦର୍ଶନ।
ନାଟକ: ‘ସମ୍ବିଧାନକୁ ବଞ୍ଚାଅ’ ବିଷୟରେ ରାଜପଥ ନାଟକ ଆୟୋଜନ।
ପ୍ରଦର୍ଶନୀ ଓ ସେମିନାର: ବିଶ୍ୱବିଦ୍ୟାଳୟ ପରିସରରେ ସଂବିଧାନ ବିଷୟକ ପ୍ରଦର୍ଶନୀ ଓ ସେମିନାର।
ଡକ୍ୟୁମେଣ୍ଟେସନ ଓ ରିପୋର୍ଟିଂ: ଶିକ୍ଷାନୁଷ୍ଠାନଗୁଡ଼ିକୁ କାର୍ଯ୍ୟକ୍ରମର ଫଟୋଗ୍ରାଫ, ଉପସ୍ଥିତି ରେକର୍ଡ ଓ ରିପୋର୍ଟ ୨୮ ଜୁନ ୨୦୨୫ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧ ଏବଂ ୧୯୭୫ ମସିହା ଜୁନ ୨୫ରେ ଲାଗୁ ହୋଇଥିବା ଜରୁରୀକାଳୀନ ସ୍ଥିତିର ଐତିହାସିକ ଘଟଣା ସମୂହ ସମ୍ପର୍କରେ ସଚେତନତା ସୃଷ୍ଟି କରିବା।


