୨୨ରୁ ମଦ ବିକ୍ରି ଉପରେ ଲାଗିଲା କଣାକଣା; ୪ ଦିନ ଯାଏ ‘ଡ୍ରାଏ ଡେ’

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଆଗକୁ ପୌର ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ମାସ ୨୨ ତାରିଖରୁ ସମଗ୍ର ରାଜ୍ୟର ୧୦୬ ପୌରାଞ୍ଚଳ ଏବଂ ୩ ମହାନଗର ନିଗମ ଅଞ୍ଚଳରେ ୪ ଦିନ ପାଇଁ ଡ୍ରାଏ ଡେ’ ଘୋଷଣା କରିଛନ୍ତି। ଏସବୁ ସହରାଞ୍ଚଳରେ ଏହି ଦିନଗୁଡ଼ିକରେ ମଦ ବିକ୍ରି ଉପରେ କଟକଣା ଜାରି ହୋଇଛି। କୌଣସି ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଏବଂ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ମଧ୍ୟ ମଦ ବିକ୍ରି ହୋଇପାରିବ ନାହିଁ ବୋଲି କୁହାଯାଇଛି।

ଆସନ୍ତା ୨୨ ତାରିଖ ଅପରାହ୍ନ ୫ଟାରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି। ମାର୍ଚ୍ଚ ୨୨ ଅପରାହ୍ନ ୫ଟାରେ ପୌର ନିର୍ବାଚନ ପ୍ରଚାର ଶେଷ ହେଉଥିବା ବେଳେ ମାର୍ଚ୍ଚ ୨୪ରେ ଭୋଟ୍‌ ଏବଂ ୨୬ରେ ଭୋଟଗଣତି ହେବ। ମାର୍ଚ୍ଚ ୨୭ରୁ ମଦ ଦୋକାନ ସ୍ବାଭାବିକ ଭାବେ ଖୋଲିବ। ଲୋକ ପ୍ରତିନିଧି ଆଇନ-୧୯୫୧ର ଧାରା ୧୩୫(ଗ) ଅନ୍ତର୍ଗତ କୌଣସି ସାର୍ବଜନୀନ ଓ ଘରୋଇ ସ୍ଥାନରେ ମଦ ବିକ୍ରି ନେଇ କଟକଣା ଜାରି ହୋଇଥିବା ନେଇ ରାଜ୍ୟ ଅବକାରୀ କମିଶନର ଆଶିଷ ସିଂ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ତେବେ ଲାଇସେନ୍ସ ଥିଲେ ବି କେହି ଏହି ଦିନଗୁଡ଼ିକରେ ମଦ ବିକ୍ରି କରିପାରିବେ ନାହିଁ। ବ୍ୟକ୍ତିଗତ ଭାବେ ଉକ୍ତ ଅବଧିରେ ବିନା ଲାଇସେନ୍ସରେ ଅଧିକ ପରିମାଣର ମଦ ରଖିଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।