ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି ଓଡ଼ିଶା ସରକାର। ଭାରତୀୟ ଦଳର ଏହି ଐତିହାସିକ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ଏହି ନଗଦ ପୁରସ୍କାର ରାଶି ଘୋଷଣା କରିଛନ୍ତି।

ସରକାରଙ୍କ ଘୋଷଣା ଅନୁଯାୟୀ, ବିଜେତା ଭାରତୀୟ ହକି ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ଏହାସହିତ ଦଳର ମୁଖ୍ୟ କୋଚ୍ ଏବଂ ଅନ୍ୟାନ୍ୟ ସପୋର୍ଟ ଷ୍ଟାଫ୍‌ଙ୍କ ଅବଦାନକୁ ସମ୍ମାନ ଜଣାଇ ପ୍ରତ୍ୟେକଙ୍କ ପାଇଁ ୫.୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ରାଶି ଘୋଷଣା କରାଯାଇଛି।

ଏସିଆନ୍ ଚାମ୍ପିୟନ୍ ଭାବେ ଭାରତୀୟ ପୁରୁଷ ହକି ଦଳ ନିଜର ଦମଦାର ପ୍ରଦର୍ଶନ ବଳରେ ୨୦୨୮ ଅଲିମ୍ପିକ୍ସ କ୍ରୀଡ଼ା ପାଇଁ ଟିକେଟ୍ ହାସଲ କରିସାରିଛି। ଭାରତୀୟ ହକିର ମୁଖ୍ୟ ପ୍ରାୟୋଜକ ଭାବେ ଓଡ଼ିଶା ସରକାର ସଦାସର୍ବଦା ଖେଳାଳିମାନଙ୍କୁ ଉତ୍ସାହିତ କରିଆସୁଥିବା ବେଳେ ଏହି ଆର୍ଥିକ ପୁରସ୍କାର ଘୋଷଣା ଦଳର ମନୋବଳକୁ ଆହୁରି ଦ୍ୱିଗୁଣିତ କରିବ। ମୁଖ୍ୟମନ୍ତ୍ରୀ ଦଳର ସମସ୍ତ ଖେଳାଳି ଓ କୋଚିଂ ଷ୍ଟାଫ୍‌ଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଅଲିମ୍ପିକ୍ସରେ ଦେଶ ପାଇଁ ଗୌରବ ଆଣିବାକୁ ଶୁଭକାମନା ଜଣାଇଛନ୍ତି।

Dharitri – Odisha’s No.1 Odia Daily

Share