ସବୁ ଯୋଗ୍ୟଙ୍କ ମୁଣ୍ଡ ଉପରେ ପକ୍କା ଛାତ ପ୍ରାଥମିକତା, ଓଡ଼ିଶାକୁ ମିଳିଲା ୧ ଲକ୍ଷ ଅଧିକ ଆବାସ

ବଲାଙ୍ଗୀର, ୧୫ା୧୧ (ବୀରେନ୍ଦ୍ର କୁମାର ଝାଙ୍କର): ସବୁ ଯୋଗ୍ୟ ହିତାଧିକାରୀଙ୍କ ମୁଣ୍ଡ ଉପରେ ପକ୍କା ଛାତ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ପାଇଁ ଅଧିକ ଏକ ଲକ୍ଷ ଘର ମଞ୍ଜୁର ହୋଇଥିବା ବିଷୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରକାଶ କରିିଛନ୍ତି। ୨୦୧୪-୧୫ ମସିହା ପରଠାରୁ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଓଡ଼ିଶାରେ ୪୧ ଲକ୍ଷରୁ ଅଧିକ ପକ୍କା ଘର ସମ୍ପୂର୍ଣ୍ଣ ହୋଇଛି, ଯେଉଁଥିରେ ଗତ ଦୁଇ ବର୍ଷ ମଧ୍ୟରେ ୫.୬୬ ଲକ୍ଷରୁ ଅଧିକ ଘର ଅନ୍ତର୍ଭୁକ୍ତ ରହିଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଏବଂ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ସୁରକ୍ଷିତ ଏବଂ ସ୍ଥାୟୀ ବାସଗୃହ ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି।
ସବୁ ଯୋଗ୍ୟ ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଛାତ ଖଣ୍ଡେ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ସର୍ୱୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ବଲାଙ୍ଗୀର ପଥରଚେପା ପଡିଆରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ନୂଆ ଧାର୍ଯ୍ୟ ଲକ୍ଷ୍ୟ ଆବାସ ବଣ୍ଟନ କାର୍ଯ୍ୟକ୍ରମରେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କେନ୍ଦ୍ର ଗ୍ରାମୀଣ ବିକାଶ ଓ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବଲାଙ୍ଗୀର ଲୋକ ସଭା ସଦସ୍ୟା ସଙ୍ଗୀତା କୁମାରୀ ସିଂଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ମଞ୍ଚାସୀନ ଥିଲେ। ଉକ୍ତ  କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମାଝୀ ଓ କେନ୍ଦ୍ର କୃଷିମନ୍ତ୍ରୀ ଚୌହାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ନୂତନ ଧାର୍ଯ୍ୟଲକ୍ଷ୍ୟ ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲାର ଦ୍ରୁତ ବିକାଶ ନିମନ୍ତେ ୯୧୧ କୋଟି ଟଙ୍କାର ୨୪୮ଟି ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।  ଏଥିରେ ପ୍ରାୟ ୧୭୬ କୋଟି ଟଙ୍କାର ୧୬୦ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିବା ବେଳେ ୭୩୫ କୋଟି ଟଙ୍କା
ସବୁ ଯୋଗ୍ୟଙ୍କ ମୁଣ୍ଡ …
ମୂଲ୍ୟର ୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ଭିତ୍ତିଭୂମି, ଜଳଯୋଗାଣ, ଜଳସେଚନ ପ୍ରକଳ୍ପ, ଅଙ୍ଗନଓ୍ୱାଡି କେନ୍ଦ୍ର, ଅତିରିକ୍ତ ଶ୍ରେଣୀଗୃହ, ସଡ଼କ ଉନ୍ନତୀକରଣ ଓ ହଷ୍ଟେଲ ଆଦି ପ୍ରକଳ୍ପଗୁଡ଼ିକ ବଲାଙ୍ଗୀରର ବିକାଶ ଯାତ୍ରାରେ ନୂଆ ଫର୍ଦ୍ଦ ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହ୍‌ ମୁଖ୍ୟମନ୍ତ୍ରୀ ପୂର୍ୱ ଘୋଷିତ ବଲାଙ୍ଗୀର କୃଷି ମହାବିଦ୍ୟାଳୟର ଶିଳାନ୍ୟାସ  କରିଥିଲେ।
 ମୁଖ୍ୟମନ୍ତ୍ରୀ ମାଝୀ ତାଙ୍କ ଅଭିଭାଷଣରେ କହିଥିଲେ, ପକ୍କାଘର କେବଳ ଇଟା, ବାଲି ଓ ସିମେଣ୍ଟରେ ତିଆରି ଏକ ଢାଞ୍ଚା ନୁହେଁ,  ବରଂ କଚ୍ଚାଘରେ ରହୁଥିବା ପରିବାର ପାଇଁ ଏହା ସମ୍ମାନ ଓ ସୁରକ୍ଷିତ ଆଶ୍ରୟ ସହ ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆ। ବିଶେଷକରି ଦୁଗର୍ମ, ପାହାଡ଼ିଆ ଏବଂ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଅଞ୍ଚଳର ଲୋକଙ୍କ ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଥିଲେ। ୨୦୧୪-୧୫ ଆର୍ଥିକ ବର୍ଷଠାରୁ ଓଡ଼ିଶାରେ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ୪୧ ଲକ୍ଷରୁ ଅଧିକ ପକ୍କାଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଗତ ୨ବର୍ଷ ମଧ୍ୟରେ ୫ ଲକ୍ଷ ୬୬ ହଜାରରୁ ଅଧିକ ଘର ନିର୍ମାଣ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ’ ଅଧୀନରେ ରାଜ୍ୟକୁ ମଞ୍ଜୁର ହୋଇଥିବା ମୋଟ ୨୮ ଲକ୍ଷ ୬ ହଜାର ଘର ମଧ୍ୟରୁ ୨୫ ଲକ୍ଷ ୫୮ ହଜାର ଘର ନିର୍ମାଣ ଶେଷ ହୋଇଛି। ଏହି ଯୋଜନାରେ ଘର ସହିତ ଶୌଚାଳୟ, ପାଇପ ଯୋଗେ ପାନୀୟ ଜଳ, ରନ୍ଧନ ଗ୍ୟାସ୍‌ ଓ ବିଦ୍ୟୁତ୍‌ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଉଛି। ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଯୋଗୁ ଗତ ୧୨ବର୍ଷରେ ଦେଶର ପ୍ରାୟ ୫୦ କୋଟି ଲୋକ ଉତ୍କଟ ଦାରିଦ୍ର୍ୟରୁ ବାହାରି ପାରିଛନ୍ତି ବୋଲି ବିଶ୍ୱ ବ୍ୟାଙ୍କ ତଥ୍ୟ ପ୍ରଦାନ କରିଥିବା ସୂଚନା ଦେଇଥିଲେ। ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଚୌହାନଙ୍କ ନେତୃତ୍ୱରେ କୃଷି ଓ ଗ୍ରାମୀଣ ବିକାଶ କ୍ଷେତ୍ର ଦ୍ରୁତ ଗତିରେ ଆଗେଇ ଚାଲିଛି।
ଆଜି ପ୍ରଥମ ପର୍ଯ୍ୟାୟରେ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ଓଡ଼ିଶା ପାଇଁ ନୂତନ ଆବାସ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାସହିତ ୨୦୨୫ ଜାନୁଆରୀରୁ ମେ’ ମଧ୍ୟରେ ହୋଇଥିବା ‘ଆବାସ ପ୍ଳସ୍‌- ୨୦୨୪’ ସର୍ଭେ ସମ୍ପର୍କରେ ସୂଚନା ଦେଇଥିଲେ। କେନ୍ଦ୍ର ସରକାର ୪ ଲକ୍ଷ ଘର ପୂର୍ୱରୁ ମଞ୍ଜୁର କରିଥିବା ବେଳେ ବର୍ତ୍ତମାନ ଆଉ ୧ଲକ୍ଷ ଘର ମଞ୍ଜୁର କରିଥିବା ଯୋଗୁ ଏହି ଯୋଜନାରେ ରାଜ୍ୟର ୫ ଲକ୍ଷ ଘର ମଞ୍ଜୁର ହୋଇଛି।  ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଆବାସ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ୍‌-ଜନମନ) ଅଧୀନରେ ବିଶେଷ ଭାବେ ଦୁର୍ୱଳ ଜନଜାତି ଗୋଷ୍ଠୀ (ପିଭିଟିଜି) ପରିବାରଙ୍କ ପାଇଁ ମଞ୍ଜୁର ହୋଇଥିବା ୪୧ ହଜାର ୭୫ ଘର ମଧ୍ୟରୁ ୩୫ ହଜାର ୬୩୫ ଘର ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିବା କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ , ସେ ଅତିଥି ନୁହନ୍ତି ବରଂ ମନ୍ତ୍ରୀ ରୂପରେ ଜଣେ ସେବକ ଭାବେ ଆସିଛନ୍ତି। ସେ କହିଥିଲେ, ପାରମ୍ପରିକ କୃଷି ସହ ଆଧୁନିକ ଜ୍ଞାନକୌଶଳକୁ ଆମକୁ ଆପଣାଇବାକୁ ପଡ଼ିବ। ଆଗାମୀ ଦିନରେ ବଲାଙ୍ଗୀରରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା କୃଷି ମହାବିଦ୍ୟାଳୟକୁ ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ଗଢ଼ାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପହଞ୍ଚାଯିବ ବୋଲି ସେ କହିଥିଲେ। ହେଲିକପ୍ଟରରୁ ବଲାଙ୍ଗୀର ଅଞ୍ଚଳର ଘର ଛାତ ଉପରେ ସୋଲାର ପାନେଲ୍‌ ଦେଖି ସେ ଖୁସି ବ୍ୟକ୍ତକରିବା ସହ ରାଜ୍ୟରେ ୨୯ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଓଡ଼ିଶାର ପ୍ରତି ଗାଁକୁ ପକ୍କା ସଡ଼କ ଦ୍ୱାରା ଯୋଡ଼ାଯିବ। ପୂର୍ୱରୁ ୪ ଲକ୍ଷ ଘର ମଞ୍ଜୁର  ହୋଇଥିବା ବେଳେ ଆଜି ଅଧିକ ୧ ଲକ୍ଷ ଘର ମଞ୍ଜୁର କରାଯାଉଛି ା ଭବିଷ୍ୟତରେ ଆହୁରି ଅଧିକ ଘର ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ଦାରିଦ୍ର୍ୟ ଦୂରୀକରଣ ପାଇଁ ଯେଉଁ ପାଇଲଟ୍‌ ପ୍ରକଳ୍ପ ଆରମ୍ଭ କରିଛନ୍ତି ତାହା ଓଡ଼ିଶାର ବଲାଙ୍ଗୀର ମାଟିରୁ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଚୌହାନ ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଥିବା ଉପମୁଖ୍ୟମନ୍ତ୍ରୀ ସିଂଦେଓ କୃଷି ପର୍ଯ୍ୟଟନ (ଏଗ୍ରି-ଟୁରିୟମ୍‌) ଏବଂ ଉନ୍ନତ ବିଦ୍ୟୁତ୍‌ ଉତ୍ପାଦନ ପାଇଁ କୃଷି କ୍ଷେତ୍ରରେ ଆଗ୍ରୋ ପ୍ୟାନେଲ ସ୍ଥାପନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ‘ପିଏମ୍‌ ସୂର୍ଯ୍ୟଘର ଯୋଜନା’କୁ ଯୋଡ଼ାଯିବ ଏବଂ ଘରର ଛାତ ଉପରେ ସୋଲାର ପ୍ୟାନେଲ ସ୍ଥାପନକୁ ସୁନିଶ୍ଚିତ କରାଯିବା ଉପରେ ସରକାର ପଦକ୍ଷେପ ନେବେ। ପଞ୍ଚାୟତିରାଜ ମନ୍ତ୍ରୀ ନାଏକ କହିଥିଲେ, ଘର କାହା ପାଇଁ ସ୍ୱପ୍ନ ତ କାହା ପାଇଁ ଏକ ପରିଚୟ ଓ ଠିକଣା ଏବଂ ଏକ ପରିବାର ପାଇଁ ଏହା ସୁରକ୍ଷାକବଚ ା  ତେଣୁ ସମସ୍ତଙ୍କୁ ପକ୍କାଘର ଯୋଗାଇଦେବା ପାଇଁ ସରକାର ଧ୍ୟାନ ଦେଉଛନ୍ତି। ଏହାସହିତ ପ୍ରତ୍ୟେକ ପଞ୍ଚାୟତରେ କଲ୍ୟାଣ ମଣ୍ଡପ, ଖେଳପଡ଼ିଆ ଏବଂ ପୋଖରୀ ନିର୍ମାଣ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ।
ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ କହିଥିଲେ, ଘର କେବଳ ଏକ ବାସସ୍ଥାନ ନୁହେଁ, ଏହା ଜଣେ ମହିଳାଙ୍କ ପାଇଁ ସମ୍ମାନ ଏବଂ ଏକ ପରିବାର ପାଇଁ ସୁରକ୍ଷାର ପ୍ରତୀକ। ଆମ ସରକାର କେବଳ ଘର ଯୋଗାଇ ଦେଉନାହାନ୍ତି, ବରଂ ପ୍ରତ୍ୟେକ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଏବଂ ସଡ଼କ ସଂଯୋଗୀକରଣର ସୁବିଧା ମଧ୍ୟ ସୁନିଶ୍ଚିତ କରୁଛନ୍ତି। ବଲାଙ୍ଗୀର ମେଡିକାଲ କଲେଜରେ ଅଧିକ ସଂଖ୍ୟକ ପିଜି  ସିଟ୍‌ ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ବଲାଙ୍ଗୀର ଏକ ପ୍ରମୁଖ ମେଡିକାଲ ହବ୍‌ରେ ପରିଣତ ହେବ ବୋଲି କହିଥିଲେ। ପ୍ରାରମ୍ଭରେ ପଞ୍ଚାୟତିରାଜ ବିଭାଗ କମିଶନର ତଥା ସଚିବ ରୂପା ମିଶ୍ର ସ୍ୱାଗତ ବକ୍ତବ୍ୟ ଦେଇଥିବା ବେଳେ ବଲାଙ୍ଗୀର ଜିଲାପାଳ ଗୌରବ ଶିବାଜୀ ଇସ୍‌ଲୱାର ଅତିଥିଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ଶେଷରେ ବଲାଙ୍ଗୀର ଲୋକ ସଭା ସଦସ୍ୟା ସିଂଦେଓ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା, ପୁରୁଷ, ବୁଦ୍ଧିଜୀବୀ, ଆଡଭୋକେଟ ଓ ଭାଜପା ସମର୍ଥକ ଯୋଗଦାନ କରିଥିଲେ।  ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ସିଂଦେଓ, ପଞ୍ଚାୟତିରାଜ ମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଚୌହ୍ୱାନଙ୍କ ପର୍ଯ୍ୟନ୍ତ ସମସ୍ତେ ରାଜ୍ୟର ପୂର୍ୱ ସରକାରଙ୍କୁ କଡ଼ା ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା।

Share