୨୧ରେ ଓଡ଼ିଶା ଫୁଡ୍‌ ପ୍ରୋ-୨୦୨୨

ଭୁବନେଶ୍ୱର,୧୨ା୭(ବ୍ୟୁରୋ):ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଅଧିକ କ୍ରିୟାଶୀଳ କରିବାକୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସହଯୋଗରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗ ପକ୍ଷରୁ ଜୁଲାଇ ୨୧ ତାରିଖରେ ଭୁବନେଶ୍ୱରଠାରେ ଓଡ଼ିଶା ଫୁଡ୍‌ ପ୍ରୋ-୨୦୨୨ ଆୟୋଜନ ହେବ। ଏଥିରେ ପୁଞ୍ଜି ନିବେଶକ, ଉତ୍ପାଦକ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ, ଷ୍ଟାର୍ଟଅପ୍‌ ତଥା ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଜଡ଼ିତ ଥିବା ବିଭିନ୍ନ ଗୋଷ୍ଠୀ ସାମିଲ ହେବେ। ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ନୂତନ ବୈଷୟିକ ଜ୍ଞାନ କୌଶଳ, ଦକ୍ଷତା ଓ ଅଧିକ ପୁଞ୍ଜି ଯୋଗାଇବା ତଥା ଏଥିସହ ଜଡ଼ିତ ସ୍ବୟଂ ସହାୟକ ଗୋଷ୍ଠୀ, ସମବାୟ ସଂସ୍ଥା, କୃଷକ ଉତ୍ପାଦନ ସଂଗଠନ ଓ ଏକକ ଉଦ୍ୟୋଗଗୁଡ଼ିକୁ ମୁଖ୍ୟସ୍ରୋତରେ ସାମିଲ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ରାଜ୍ୟକୁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ପୁଞ୍ଜି ନିବେଶକମାନଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଉଦ୍ୟମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସୋମବାର ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରାକ୍‌ ସୂଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହାକୁ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଫୁଡ୍‌ ପ୍ରୋ-୨୦୨୨ର ଏକ ଭିଡିଓର ଶୁଭାରମ୍ଭ କରି ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ସରକାରଙ୍କ ନୀରବଚ୍ଛିନ୍ନ ଉଦ୍ୟମ ଉପରେ ଆଲୋକପାତ କରିଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ୱାରା ବିଭିନ୍ନ ଦିଗରୁ ଅଧିକ ପୁଞ୍ଜି ନିବେଶର ଆଗମନ ହୋଇପାରିବ। ଏହାଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ସ୍ବାଗତ ଭାଷଣ ଦେଇ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା କହିଛନ୍ତି ଯେ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାକୁ ଏକ ଆକର୍ଷକ ଖାଦ୍ୟ ପ୍ରକ୍ରିୟାକରଣ ହବ୍‌ ଭାବେ ଗଢ଼ିତୋଳିବା ସକାଶେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।
ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ, ପ୍ରତିଷ୍ଠିତ ଶିଳ୍ପ ଉଦ୍ୟୋଗ, ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ଏକ ସ୍ବତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିଶନର ସଞ୍ଜୀବ ଚୋପ୍ରା, ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ସଭାପତି ଓମ୍‌କାର ରାୟ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ, ଇପିକଲ ଏମ୍‌ଡି ଭୂପିନ୍ଦର ସିଂ ପୁନିଆ, ଆପିକଲ ଏମ୍‌ଡି ପ୍ରଭାତ କୁମାର ରାଉଳ ପ୍ରମୁଖ ଯୋଗ ଦେଇଥିଲେ।