ଚାନ୍ଦବାଲି,୨ା୮(କିଷାନ ପାତ୍ର): ଭଦ୍ରକ ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟାଜଳ ଘେରାଉ କରିଥିବା ଅଞ୍ଚଳଗୁଡ଼ିକରେ ବୋଟ୍ ଯୋଗେ ପହଞ୍ଚି ଜିଲାପାଳ ମାଧପୁର, ନାଲୁଗୁଣ୍ଡା ଓ ଭୂଇଁବୁର୍ତ୍ତି ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ପରିସ୍ଥିତି ଅନୁଧ୍ୟାନ କରିଥିଲେ।
ଗସ୍ତ ସମୟରେ ସେ ବନ୍ୟାପ୍ରପୀଡ଼ିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ପ୍ରଭାବିତ ପରିବାରମାନଙ୍କୁ ଆବଶ୍ୟକ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଜରୁରୀ ସହାୟତା ଯଥାଶୀଘ୍ର ପହଞ୍ଚାଇବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।
ଏହି ଗସ୍ତରେ ଚାନ୍ଦବାଲି ବିଡିଓ ସଞ୍ଜୀବ ମହାପାତ୍ର, ତହସିଲଦାର ଭବତୋଷ ମଲ୍ଲିକଙ୍କ ସମେତ ସ୍ଥାନୀୟ ନେତୃତ୍ୱ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ସାମିଲ ଥିଲେ। ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଥିବା ବେଳେ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ସହାୟତା ପହଞ୍ଚାଇବାକୁ ପଦକ୍ଷେପ ଜୋରଦାର କରାଯାଇଛି।