ୟୁସି ଦେବାରେ ଓଡ଼ିଶା ବିଫଳ

ନୂଆଦିଲ୍ଲୀ, ୨୩ା୭: ଓଡ଼ିଶା ସରକାର ପୂର୍ବବର୍ଷ ପାଇଥିବା ଅନୁଦାନର ବିନିଯୋଗ ପ୍ରମାଣପତ୍ର (ୟୁସି) କେନ୍ଦ୍ର ନିକଟରେ ଦାଖଲ କରିବାରେ ବିଫଳ ହୋଇଛନ୍ତି। ଏଥିଯୋଗୁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ଆଦିବାସୀ ଯୋଜନାକୁ ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସ୍‌ସିଏ ଟୁ ଟିଏସ୍‌ଏସ୍‌)ରେ ରାଜ୍ୟକୁ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ପାଣ୍ଠି ଯୋଗାଇ ନାହାନ୍ତି। ବିଜେଡି ଏମ୍‌ପି ଅମର ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହା କୁହାଯାଇଛି। ରାଜ୍ୟ ସରକାର ପୂର୍ବ ବର୍ଷର ବିନିଯୋଗ ପ୍ରମାଣପତ୍ର ଏବଂ ଫିଜିକାଲ ପ୍ରୋଗ୍ରେସିଭ୍‌ ରିପୋର୍ଟ ଦାଖଲ କରି ନ ଥିବାରୁ ଉପରୋକ୍ତ ଯୋଜନା ଏବଂ ସମ୍ବିଧାନର ଅନୁଚ୍ଛେଦ ୨୭୫(୧)ରେ ଅନୁଦାନ ଦିିଆଯାଇ ନ ଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ କେନ୍ଦ୍ର ସରକାର ଏସ୍‌ସିଏ ଟୁ ଟିଏସ୍‌ଏସ୍‌ରେ ଓଡ଼ିଶାକୁ ୯୦.୧୦ କୋଟି ଏବଂ ଅନୁଚ୍ଛେଦ ୨୭୫(୧) ଅନୁଯାୟୀ ୬୩.୦୪ କୋଟି ଟଙ୍କା ଯୋଗାଇ ଦେଇଥିଲେ। ଟିଏସ୍‌ଏସ୍‌ରେ ଯୋଗାଇ ଦିଆଯାଇଥିବା ଅର୍ଥରୁ ରାଜ୍ୟ ସରକାର ୫୬.୩୫ କୋଟି ଟଙ୍କା ବିନିଯୋଗ କରିଥିବାବେଳେ ଧାରା ୨୭୫(୧)ରେ ମିଳିଥିବା ଅର୍ଥ ଆଦୌ ଖର୍ଚ୍ଚ କରିନାହାନ୍ତି। ସେଥିପାଇଁ ଚଳିତ ବର୍ଷ ପାଣ୍ଠି ମଞ୍ଜୁର ହୋଇଥିଲେ ମଧ୍ୟ ଦିଆଯାଇ ନ ଥିବା ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂ ସାରୁତା କହିଛନ୍ତି।
ଆଦିବାସୀମାନଙ୍କ କଲ୍ୟାଣ ଓ ବିକାଶ ଲାଗି ୨୭ ରାଜ୍ୟକୁ ଉପରୋକ୍ତ ଯୋଜନାରେ ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯାଇଛି। ଆଦିବାସୀ ଉପଯୋଜନା (ଟିଏସ୍‌ଏସ୍‌)ରେ ମିଳୁଥିବା ଅର୍ଥ ସେମାନଙ୍କ ଅଞ୍ଚଳର ପ୍ରମୁଖ ଭିତ୍ତିଭୂମି ବିକାଶରେ ବିନିଯୋଗ କରାଯାଇଥାଏ। ସେହିପରି ଧାରା ୨୭୫(୧)ରେ ମିଳୁଥିବା ଅର୍ଥ ଅନୁସୂଚିତ ଜନଜାତିର କଲ୍ୟାଣ ପାଇଁ ଖର୍ଚ୍ଚ ହୋଇଥାଏ।