ଓଡିଶା କଂଗ୍ରେସ ନେତା ସବୁଠୁ ଧନୀ, କ୍ରାଇମରେ…, ADR ରେ ଚମକାଇଦେଲା ଭଳି ରିପୋର୍ଟ

ଭୁବନେଶ୍ୱର,୨୧।୩: ରାଜ୍ୟରେ ନିଜ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଛି କଂଗ୍ରେସ। କିନ୍ତୁ ଦଳର ବିଧାୟକମାନେ ଧନୀ ତାଲିକାରେ ଶୀର୍ଷରେ ରହିଛନ୍ତି। ଦଳର ୭୫ପ୍ରତିଶତ ବିଧାୟକ କୋଟିପତି ଥିବାବେଳେ ୫୦% ବିଧାୟକଙ୍କ ନାଁରେ ସଙ୍ଗୀନ ଅପରାଧ ମାମଲା ରହିଛି। ଯାହାକି ବିଜେଡି ଓ ରାଜ୍ୟ ଭାଜପା ବିଧାୟକଙ୍କ ଅନୁପାତ ତୁଳନାରେ ଅଧିକ। ସଂଖ୍ୟା ଦୃଷ୍ଟିରୁ ଦେଖିଲେ ସର୍ବାଧିକ ବିଜେଡି ବିଧାୟକଙ୍କ ନାଁରେ ସଙ୍ଗୀନ ଅପରାଧ ମାମଲା ରହିଛି। ବିଜେଡି ବିଧାୟକମାନଙ୍କ ମୁଣ୍ଡପିଛା ସମ୍ପତ୍ତି ହାର ହାରାହାରି ୪.୩୧କୋଟି ଟଙ୍କା ଥିବାବେଳେ ଭାଜପା ବିଧାୟକମାନଙ୍କ ସମ୍ପତ୍ତି ହାରାହାରି ୧.୦୫କୋଟି, କଂଗ୍ରେସର ୪.୧୩କୋଟି ଟଙ୍କା ରହିଛି । ଇଲେକ୍ସନ ୱାଚ ଓ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ(ଏଡିଆର) ପକ୍ଷରୁ ରାଜ୍ୟର ବିଧାୟକମାନଙ୍କର ଅପରାଧ ପୃଷ୍ଠଭୂମି, ଶିକ୍ଷା ଓ ଆର୍ଥିକ ସ୍ଥିତି ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି।

ଏଡିଆର ରିପୋର୍ଟ ଅନୁସାରେ, ମାର୍ଚ୍ଚ ୧୫ତାରିଖ ସୁଦ୍ଧା ଓଡିଶା ବିଧାନସଭାରେ ୧୪୬ଜଣ ବିଧାୟକ ଅଛନ୍ତି । ଦିଗପହଣ୍ଡି ବିଧାୟକଙ୍କ ମୃତ୍ୟୁ ଯୋଗୁ ଗୋଟିଏ ଆସନ ଖାଲି ପଡିଛି । ଏଥିରେ ୧୧୧ଜଣ ବିଜେଡି, ୨୨ଜଣ ଭାଜପା, ୮ଜଣ କଂଗ୍ରେସ, ୪ଜଣ ସ୍ବାଧୀନ ଓ ଜଣେ ସିପିଏମ ବିଧାୟକ ଅଛନ୍ତି । ସଙ୍ଗୀନ ଅପରାଧ ଥିବା ଏହି ମୋଟ ୪୭ଜଣ ବିଧାୟକମାନଙ୍କ ମଧ୍ୟରେ ୩୧ଜଣ ବିଜେଡିର, ୯ଜଣ ଭାଜପାର ଓ ୪ଜଣ କଂଗ୍ରେସ ବିଧାୟକ, ୨ଜଣ ସ୍ବାଧୀନ ଓ ଜଣେ ସିପିଏମ ବିଧାୟକ ଅଛନ୍ତି । ଏହି ସଙ୍ଗୀନ ଅପରାଧ ଭିତରେ ୨ଜଣଙ୍କ ନାଁରେ ହତ୍ୟା ମାମଲା, ୧୧ଜଣଙ୍କ ନାଁରେ ହତ୍ୟା ଉଦ୍ୟମ, ୧୨ଜଣଙ୍କ ନାଁରେ ମହିଳା ହିଂସା ମାମଲା ରହିଛି ।

ରାଜ୍ୟ କଂଗ୍ରେସର ୬ଜଣ, ଭାଜପାର ୯ଜଣ ଓ ବିଜେଡିର ୭୭ଜଣ ବିଧାୟକ ହେଉଛନ୍ତି କୋଟିପତି । ତେବେ ଯଦି ଅନୁପାତିକ ହିସାବରେ ଦେଖାଯାଏ ତା’ହେଲେ କୋଟିପତି ବିଧାୟକଙ୍କ ପରିମାଣ କଂଗ୍ରେସରେ ସର୍ବାଧିକ । ସେହିପରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା ଥିବା ମୋଟ ୨୨ଜଣ ବିଧାୟକଙ୍କ ମଧ୍ୟରୁ ୧୬ଜଣ ବିଜେଡି ଓ କଂଗ୍ରେସ ଓ ଭାଜପାର ୩ଜଣ ଲେଖାଏଁ ଅଛନ୍ତି । ଏଥିରେ ବିଜେଡିର ୨ଜଣ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ପାସ ଓ ୬ଜଣଙ୍କ ଅଷ୍ଟମ ପାସ । ସେହିପରି ୨୨ଜଣ ଦ୍ୱାଦଶ, ୩୨ଜଣ ସ୍ନାତକ,୩୫ଜଣ ପିଜି ଡିଗ୍ରୀ ଏବଂ ୪ଜଣ ବିଧାୟକ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି ।