ଭୁବନେଶ୍ୱର,୧୨।୧: ରାଜଧାନୀର ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଓଡିଶା ସରକାର ବଡ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଏଲିଭେଟେଡ୍ କରିଡର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପ୍ରାୟ ୯୫୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କରିଡରରେ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ୍, ଡମଣା ଏବଂ କିଟ୍ ଛକଠାରେ ଚାରିଟି ଫ୍ଲାଏଓଭର ନିର୍ମାଣ କରାଯିବ।
ଏଥିସହିତ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ନୂତନ ଲୋକସେବା ଭବନ ଏବଂ ବିଧାନସଭା ଗୃହ ପାଇଁ ମଧ୍ୟ ଶିଳାନ୍ୟାସ କରିଛନ୍ତି।ଏଥିପାଇଁ ୩,୬୨୩ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରାୟ ୭୧.୧୩ ଏକର ପରିମିତ ଅଞ୍ଚଳରେ ଏହି ଭବ୍ୟ କ୍ୟାମ୍ପସ ନିର୍ମାଣ ହେବ। ନୂତନ ବିଧାନସଭା ଗୃହରେ ପ୍ରାୟ ୩୦୦ ବିଧାୟକ ବସିବାର କ୍ଷମତା ରହିବ, ଯାହା ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ମୋଟ ୭୧ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି, ଯାହାର ସାମଗ୍ରିକ ମୂଲ୍ୟ ପ୍ରାୟ ୬,୭୦୦ କୋଟି ଟଙ୍କା।


