ବିଏସ୍‌ଇଟି ସୋସାଇଟି ସଭାପତି ପଦ ଛାଡ଼ିଲେ ପ୍ରୟାସକାନ୍ତି

ଭଦ୍ରକ,୨୪।୩(ସନାତନ ରାଉତ): ଦୀର୍ଘଦିନ ଧରି ବିବାଦରେ ଥିବା ଭଦ୍ରକ ବରପଦା ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ଟେକ୍ନୋଲୋଜି (ବିଏସ୍‌ଇଟି) ସୋସାଇଟି ସଭାପତି ପଦରୁ ପ୍ରୟାସକାନ୍ତି ସାମଲ ଶନିବାର ସନ୍ଧ୍ୟାରେ ଇସ୍ତଫା ଦେଇଛନ୍ତି। ଏନେଇ ଏକ ଖବରଦାତା ସମ୍ମିଳନୀରେ ତାଙ୍କର ଇସ୍ତଫା ଘୋଷଣା କରିବା ସହ ଇସ୍ତଫାପତ୍ର ସୋସାଇଟିର ସମ୍ପାଦକଙ୍କ ପାଖକୁ ପଠାଇଥିବା କହିଛନ୍ତି। ବର୍ତ୍ତମାନର ପାରିପାର୍ଶ୍ୱିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜର ହିତ ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।

କଲେଜର କେତେଜଣ କର୍ମଚାରୀ ବକେୟା ଦରମା ଓ ବିଏସ୍‌ଇଟି ସୋସାଇଟିକୁ ଭଙ୍ଗ ଦାବିରେ ଆନ୍ଦୋଳନ କରିଆସୁଥିଲେ। ବରପଦା କଲେଜ ଫାଟକ ସାମ୍ନାରେ ସେମାନେ ଆନ୍ଦୋଳନ କରିବା ସହ ପରେ ବରପଦା ବନ୍ଦ ମଧ୍ୟ କରିଥିଲେ। ଏପରି କି ସ୍ଥିତି ନିୟନ୍ତ୍ରଣ ପାଇଁ ଗତ ୨୧ ତାରିଖରେ ଜିଲା ପ୍ରଶାସନ ପକ୍ଷରୁ କଲେଜ ଫାଟକରୁ ଶହେ ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରାଯାଇଛି। ପ୍ରୟାସକାନ୍ତି ୨୦୧୦ରୁ ସଭାପତି ପଦରେ ରହିଆସିଥିବା ବେଳେ ସେ ସ୍ବତଃପ୍ରବୃତ୍ତ ଭାବେ ଏହି ପଦରୁ ଇସ୍ତଫା ଦେଇଥିବା ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି। କଲେଜ, ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀଙ୍କ ହିତକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେଉଛନ୍ତି। ତେବେ ପ୍ରତି ୩ ମାସରେ ଥରେ ଜିଲାପାଳ ପରିଚାଳନା କମିଟି ସହ ବୈଠକ କରି ସମସ୍ତ ଆୟବ୍ୟୟର ତଦାରଖ କରିବାକୁ ସେ ଅନୁରୋଧ କରିଛନ୍ତି। କଲେଜର ସୁନାମ ଫେରିବା ସହ ଶୈକ୍ଷିକ ବାତାବରଣକୁ ଫେରାଇ ଆଣିବା ପାଇଁ ପରିଚାଳନା କମିଟି ଓ ଶିକ୍ଷା କର୍ମଚାରୀଙ୍କୁ ସେ ଅନୁରୋଧ କରିଛନ୍ତି। ସୂଚନାଥାଉ କି, ଏହି କଲେଜରେ ଦୁର୍ନୀତି ନେଇ ଗତ ଫେବୃଆରୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘର ସମେତ ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ସେହିପରି ବିଧାୟକଙ୍କ ପୁଅ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ମଧ୍ୟ ଇଡି ଚଢ଼ାଉ କରିଥିଲା।