ଆନ୍ଧ୍ର ନିର୍ବାଚନରେ ଭୋଟ୍ ଦେଲେ ଓଡ଼ିଶାର ସୀମାନ୍ତ ଗ୍ରାମବାସୀ: ଜଗିଲା ଗଜପତି ପ୍ରଶାସନ, ଗଞ୍ଜାମ ପ୍ରଶାସନର ଦେଖା ମିଳିଲାନି

ପାତ୍ରପୁର,୫ା୧୧(ଉମା ଚରଣ ନେପାକ): ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଜିଲା ପରିଷଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଥିବା ବେଳେ ପୁଣି ଥରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ବୁଲିଛି ଆନ୍ଧ୍ର ପ୍ରଶାସନର ଲୋଭନୀୟ ଜାଲ। ପାତ୍ରପୁର ବ୍ଲକର ତୁମ୍ବା ପଞ୍ଚାୟତ ଅନ୍ତର୍ଗତ କୁଲାଡି, ବାଞ୍ଜୁଆସାହି ଏବଂ ବୁରାତାଲ ପଞ୍ଚାୟତ ଅନ୍ତର୍ଗତ ଗୁଡ଼ିଖଳାରୁ ଶତାଧିକ ଲୋକ ଟ୍ରାକ୍ଟର ଯୋଗେ ଯାଇ ଆନ୍ଧ୍ରର ବୁଡ଼ାରସିଙ୍ଗି ବିଦ୍ୟାଳୟରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ “କୋଟିଆକୁ ସମସ୍ତେ ଜଗିଲେ, ସୀମାନ୍ତ ପାତ୍ରପୁରକୁ ଭୁଲିଗଲେ” ବୋଲି ବ୍ୟାପକ ଚର୍ଚ୍ଚା ହେଉଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନିର୍ବାଚନ ବାବଦରେ ପୂର୍ବରୁ ସୂଚନା ଥିବା ସତ୍ତ୍ୱେ ଭୋଟରମାନଙ୍କୁ ସୀମା ପାର ହେବାରୁ ରୋକିବା ପାଇଁ ପାତ୍ରପୁର ବ୍ଲକ୍ କିମ୍ବା ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଭୋଟ୍ ଗ୍ରହଣ ସମୟରେ ଗଞ୍ଜାମ ପ୍ରଶାସନର ଜଣେ ହେଲେ ବି ଅଧିକାରୀ ସେଠାରେ ଉପସ୍ଥିତ ନଥିଲେ। ଅନ୍ୟପକ୍ଷରେ, ଗୁଡ଼ିଖଳା ଗ୍ରାମଟି ଗଜପତି ଜିଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ଅଧୀନକୁ ଆସୁଥିବା ଦର୍ଶାଇ ଗଜପତି ଜିଲ୍ଲା ପ୍ରଶାସନ ପୂର୍ବରୁ ସେଠାରେ ଡେରା ପକାଇବା ସହ ବାତ୍ୟା ପରବର୍ତ୍ତୀ ରିଲିଫ୍ ବଣ୍ଟନ କରିଥିଲା ଏବଂ ଗ୍ରାମବାସୀଙ୍କୁ ଅନ୍ୟ ରାଜ୍ୟରେ ମତଦାନ ନକରିବା ପାଇଁ ବୁଝାସୁଝା କରିଥିଲା।

ସୂଚନାଯୋଗ୍ୟ ଯେ, ଆବାସ ଯୋଜନା, ଭତ୍ତା, ପାନୀୟ ଜଳ, ମନରେଗା କାମ ଓ ରାସନ ଭଳି ବିଭିନ୍ନ ସରକାରୀ ଯୋଜନାର ଲୋଭ ଦେଖାଇ ଆନ୍ଧ୍ର ପ୍ରଶାସନ ସୀମାନ୍ତ ଗ୍ରାମବାସୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଛି। ନିର୍ବାଚନରେ ଭୋଟ୍ ନଦେଲେ ସରକାରୀ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଉଥିବା ନେଇ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗତ ନିର୍ବାଚନ ସମୟରେ ପ୍ରଶାସନିକ କଡ଼ା ନଜର ଯୋଗୁଁ କିଛି ଲୋକ ଆନ୍ଧ୍ର ଯିବାକୁ ଭୟ କରିଥିଲେ, ମାତ୍ର ଏଥର ପ୍ରଶାସନିକ ନିଷ୍କ୍ରିୟତା ଯୋଗୁ ଗ୍ରାମବାସୀମାନେ ନିର୍ଭୟରେ ଯାଇ ଭୋଟ୍ ଦେଇଛନ୍ତି। “ଆମକୁ ଆନ୍ଧ୍ର ପ୍ରଶାସନ ଘର, ବିଜୁଳି, ରାସ୍ତା, ଭତ୍ତା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବାରୁ ଆମେ ଭୋଟ୍ ଦେବୁ,” ବୋଲି କିଛି ସୀମାନ୍ତ ନାଗରିକ ନିଜର ପ୍ରତିକ୍ରିୟାରେ କହିଛନ୍ତି।

Dharitri – Odisha’s No.1 Odia Daily

Share