ଜାଗରରେ ଅଘଟଣ, ରାସ୍ତା ପାର ହେଉଥିବା ବେଳେ ବୃଦ୍ଧଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଭୁବନେଶ୍ୱର,୮।୩ (ସୂର୍ଯ୍ୟକାନ୍ତ ବେହେରା): ଜାଗର ଦେଖିବାକୁ ରାସ୍ତା ପାର ହେଉଥିବା ବେଳେ ଜଣେ ବୃଦ୍ଧଙ୍କ ଉପରେ ମାଡିଗଲା ଟ୍ରକ୍‌ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣିରେ ଏଭଳି ଦୁର୍ଘଟଣା ଘଟିଛି । ମୃତକ ହେଲେ ପଳାଶୁଣିର ଯୁଧିଷ୍ଟିର ସାହୁ (୭୫)। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯିବା ସହ ସ୍ଥାନୀୟ ଲୋକେ କିଛି ସମୟ ରାସ୍ତାରୋକୋ କରିବାରୁ ପ୍ରବଳ ଟ୍ରାଫିକ ଜାମ ହୋଇଥିଲା । ଖବର ପାଇ ପୋଲିସ ମୃତଦେହ ଜବତ କରିବା ସହ ଲୋକଙ୍କୁ ବୁଝାଇବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି।

ସୂଚନାନୁସାରେ ଶୁକ୍ରବାର ସନ୍ଧ୍ୟା ସମୟରେ ଯୁଧିଷ୍ଟିର ପଳାଶୁଣି ଦୁର୍ଗାମଣ୍ଡପ ପଟୁ ରାସ୍ତାର ଅପରପାର୍ଶ୍ୱକୁ ଯାଉଥିବା ବେଳେ କଟକ ଆଡୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଯାହାଫଳରେ ଯୁଧିଷ୍ଟିରଙ୍କ ଘଟଣାସ୍ଥଳରେ ପ୍ରାୟବାୟୁ ଉଡିଯାଇଥିଲା । ଖବର ପାଇ ପୋଲିସ ମୃତଦେହ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡି ଓ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ବାରମ୍ବାର ଉକ୍ତ ଜାଗାରେ ଦୁର୍ଘଟଣା ଘଟୁଥିବା ସହ ରାସ୍ତା ପାର ହୋଇ ଛାତ୍ରୀଛାତ୍ର ସ୍କୁଲ ଯିବା ଆସିବା କରୁଥିବାରୁ ସେଠାରେ ଗୋଟିଏ ଫୁଟ ଓଭରବ୍ରିଜ ନିର୍ମାଣ ନେଇ ସ୍ଥାନୀୟ ଲୋକେ ଦାବି କରୁଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ । ଯାହାଫଳରେ ଗୋଟିଏ ପରେ ଗୋଟିଏ ଜୀବନ ଅକାଳରେ ଚାଲିଯାଉଛି । ଏନେଇ ଆସନ୍ତା ୩ ଦିନ ଭିତରେ ରାସ୍ତାରୋକୋ କରି ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ସମାଜସେବୀ ନାରାୟଣ ପୃଷ୍ଟି ଚେତାବନୀ ଦେଇଛନ୍ତି ।