ଚିକିଟି,୧୮।୫(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧ ଗ୍ରାମର ଜଣେ ଯୁବକ ଯୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଛନ୍ତି । ଶନିବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ନାମ ଏ ରାମାୟା (୩୦) ।
ସୂଚନା ଅନୁସାରେ, ଏ ରାମlୟl ସୋରଳ ନିକଟସ୍ଥ ହରିପୁର ଛକ ନିକଟରେ ଥିବା ମାଇକେନ ଏଜେନ୍ସି ମଧ୍ୟମରେ ଦୀର୍ଘ ୧ ମାସ ହେଲା ରୁଷିଆର ଏକ କମ୍ପାନୀରେ କାମ କରୁଥିଲେ । ରୁଷିଆ ଯୁକ୍ରେନ ଯୁଦ୍ଧ ସମୟରେ ଯୁକ୍ରେନର ଡ୍ରୋନ ମାଡ଼ରେ ୪ ଜଣ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ମଧ୍ୟରେ ଏ ରାମାୟା ରହିଥିଲେ । ଏନେଇ ବନ୍ଧୁମାନେ ପରିବାରଙ୍କୁ ଜଣାଇବା ପରେ ପରିବାର ଲୋକେ ହରିପୁର ନିକଟରେ ଥିବା ଏଜେନ୍ସିକୁ ଯାଇ ପଚାରିଥିଲେ । କିନ୍ତୁ ସେମାନେ ସଠିକ ଉତ୍ତର ଦେଇ ପାରି ନଥିଲା ।
ଏନେଇ ପରିବାର ଲୋକେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ରାମାୟlର ଶବ ନିଜ ଗ୍ରାମକୁ ଫେରାଇ ଆଣିବା ପାଇଁ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଆଜି ବ୍ଲକରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଅନୁରୋଧ କରିଥିଲେ । ଜିଲାପାଳ ଭି କୀର୍ତ୍ତି ଭାସନ ପରିବାରଙ୍କୁ ସମବେଦନା ଜଣାଇବା ସହ ଶବ କିପରି ଗ୍ରାମରେ ପହଞ୍ଚିବ ସେଥିପାଇଁ ଚେଷ୍ଟା ଜାରି ରଖିଥିବା କହିଛନ୍ତି । ସେ ପରିବାରର ଏକମାତ୍ର ରୋଜଗାରିଆ ରହିଥିବା ବେଳେ ତାଙ୍କ ମୃତ୍ୟୁ ପରେ ପରିବାରର ମେରୁଦଣ୍ଡ ଭାଙ୍ଗିଯାଇଛି । ପରିବାରକୁ କିଛି ସରକାରୀ ସହୟତା ଯୋଗାଇବା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନକୁ ନିବେଦନ କରିଛନ୍ତି ।