ଭଞ୍ଜନଗର,୨୩।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଅର୍ଥନୀତି ବିଭାଗ ପକ୍ଷରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଆୟୋଜିତ ସ୍ବାଗତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ ଅଧ୍ୟକ୍ଷତା କରି ଛାତ୍ରୀଛାତ୍ରମାନେ ଶୃଙ୍ଖଳିତ ଜୀବନଯାପନ କରି ନିଜର ଭବିଷ୍ୟତ ଗଢ଼ିବାକୁ ପରାମର୍ଶ ଦେଇଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା କଳ୍ପନା ଷାଣ୍ଢ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଅଧ୍ୟାପକ ଦିଗନ୍ତ ଜେନା ସଭା ସଂଯୋଜନା କରିଥିଲେ।
ଏହି ଅବସରରେ ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାପାତ୍ର ଓ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ରଥ ଅତିଥି ଭାବେ ଯୋଗଦେଇଥିଲେ। ଅଧ୍ୟାପିକା ରୋଜାଲିନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେହିଭଳି ଅର୍ଥନୀତି ବିଭାଗ ପକ୍ଷରୁ ମଧ୍ୟ ନୂତନ ଛାତ୍ରୀଛାତ୍ରଙ୍କ ସ୍ବାଗତ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତ ଅଧ୍ୟକ୍ଷତା କରିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଅନିତା ମହାପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିବା ସହ ସଭା ସଂଯୋଜନା କରିଥିଲେ। ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାପାତ୍ର ଓ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ରଥ, ଅଧ୍ୟାପକ ରଜତ ଦାସ, ଆର୍ ହରିଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ କରିଥିଲେ। ଅଧ୍ୟାପିକା ପ୍ରଜ୍ଞା ପରମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ ପରିବେଷଣ କରାଯାଇଥିଲା।