ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ ରାଇଫଲ୍ର ଯବାନ ଭାବେ କାର୍ଯ୍ୟ କରୁଥିଲେ।
ଯବାନ ଭି. ତେଜା ନାଗାଲାଣ୍ଡରେ ଡିୟୁଟିରେ ଥିବା ବେଳେ ତାଙ୍କୁ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମିଳିଥିବା ସୂଚନା ମୁତାବକ, ତେଜା ବୁଧବାର ୭ ତାରିଖରେ ପାଳନ କରିଥାନ୍ତେ ୩୧ତମ ଜନ୍ମଦିନ। ଡିସେମ୍ବର ମାସରେ ହୋଇଥାନ୍ତା ବାହାଘର। ବାହାଘର ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା। ସାଙ୍ଗ ସାଥି ପରିବାର ଖୁସି ଥିଲେ। ୫୦ ଦିନ ପାଇଁ ଛୁଟି ମଧ୍ୟ ମଞ୍ଜୁରୀ ହୋଇଥିଲା। ବିଧିର ବିଧାନ ଥିଲା କିନ୍ତୁ ଅଲଗା। ଯବାନଙ୍କ ମୃତ୍ୟୁ ଖବର ପହଁଞ୍ଚିବା ପରେ ରାୟଗଡ଼ାରେ ଶୋକର ଛାୟା ଖେଳିଯାଇଛି ।
ଶହୀଦ ତେଜା ୨୦୨୨ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ୨ ବର୍ଷ ତଳେ ତେଜା ନିଜର ଅଙ୍ଗଦାନ କରିବା ନେଇ ଘୋଷଣା ପତ୍ର ସ୍ବାକ୍ଷର କରିଥିଲେ । ସେହି ଅନୁଯାୟୀ ତାଙ୍କର ବିଭିନ୍ନ ଅଙ୍ଗ ସେଠାକାର ସ୍ଥାନୀୟ ଡାକ୍ତରଖାନାରେ କଡାଯାଇ ସଂରକ୍ଷିତ କରି ରଖାଯାଇଥିବା ତାଙ୍କ ସାନ ଭାଇ ସୂଚନା ଦେଇଛନ୍ତି ।
ତେଜାଙ୍କ ମରଶରୀର ଆଜି ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ହାଇଦ୍ରାବାଦ ଦେଇ ବିଶାଖାପାଟଣା ଅଣାଯିବ I ସେଠାରୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସାରେ ମୃତଦେହ ରାୟଗଡ଼ା ଅଣାଯିବ ବୋଲି ସୂଚନା ମିଳିଛି ।
ପରିବାର ଲୋକେ କହିଛନ୍ତି ଯେ, ଡିସେମ୍ବର ୧୦ରେ ତେଜାଙ୍କ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା I ତେଜା ଦୀପାବଳି ଦିନ ରାୟଗଡାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ନୀୟତିର ନିର୍ଦ୍ଦେଶ ଅଲଗା ପ୍ରକାର ରହିଥିଲା। ନିଜ ପାଇଁ ସୁନେଲି ସ୍ବପ୍ନ ଦେଖିଥିବା ତେଜା ଦେଶ ପାଇଁ ଶହୀଦ ହୋଇଗଲା। ସେ ନିଜ ଅଙ୍ଗଦାନ କରିଥିବାରୁ ଅନ୍ୟଜଣଙ୍କୁ ନୂଆଁ ଜୀବନ ଦେଇ ସେ ଅମର ହୋଇଯାଇଛି।