ରାଜ୍ୟର ସମସ୍ତ ପୌରାଞ୍ଚଳରେ ଆୟୋଜନ କରାଯିବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ୱର,୨୭ା୧(ଅସମାପିକା ସାହୁ): ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି।

ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ। ଏଥିରେ ଛାତ୍ରୀଛାତ୍ର, ଅଧ୍ୟାପିକା ଓ ଅଧ୍ୟାପକ, ଗବେଷକ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି ସହ ଭାଷାକୁ ପ୍ରୋତ୍ସାହିତ କରିବାକୁ ସମ୍ମିଳନୀରେ ବ୍ୟାପକ ଆୟୋଜନ କରାଯାଉଛି । ପ୍ରତ୍ୟେକ ବ୍ୟକ୍ତି ଏଠାକୁ ଆସି ଓଡ଼ିଆ ଭାବେ ନିଜକୁ ଗର୍ବ ଅନୁଭବ କରିବା ସହ ଅଭୁଲା ସ୍ମୃତି ନେଇ ଯିବେ।

ଏହି ସମୟରେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରିବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ମହାନଗର ନିଗମର କମିଶନର ଏବଂ ପୌର ପରିଷଦ ଓ ଏନ୍‌ଏସିର ନିର୍ବାହୀ  ଅଧିକାରୀମାନଙ୍କୁ ପତ୍ର ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।