ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ଦିଗପହଣ୍ଡି,୧ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକରେ ଦାଦନ ଯନ୍ତ୍ରଣା ଲାଗି ରହିଥିବାବେଳେ ପୁଣିଥରେ ଜଣେ ଦାଦନ ଶ୍ରମିକଙ୍କ ମୁମ୍ବାଇରେ ମୃ୍‌ତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମ ପ୍ରେମନଗର ସାହିର ପ୍ରଶାନ୍ତ କୁମାର ପଣ୍ଡା ଓରଫ ମିଟୁ (୩୮)। ପ୍ରଶାନ୍ତ ଚିକିଟିର ଜଣେ ଲେବର କଣ୍ଟ୍ରାକ୍ଟରଙ୍କ ସହ ପରିବାର ପ୍ରତିପୋଷଣ ପାଇଁ ଗତ ପ୍ରାୟ ୪ ମାସ ପୂର୍ବେ ମୁମ୍ବାଇ ଯାଇ ସେଠାକାର ବୋରିଭାଲି ଇଲାକାରେ ଶ୍ରମିକ ଭାବେ କାମ କରୁଥିଲେ। ଶନିବାର ସକାଳେ ସେ କାମ କରିବାକୁ ଯାଇଥିଲେ। ତାଙ୍କୁ ଭୀଷଣ ଜ୍ବର ହେବାରୁ ସେ ସେଠାରେ ଆକସ୍ମିକ ଅସୁସ୍ଥ ହୋଇପଡ଼ିଥିଲେ। ମଧ୍ୟାହ୍ନ ପ୍ରାୟ ୧୨ ଟାରେ ସେ ମେସ୍‌କୁ ଚାଲି ଆସିଥିଲେ। ସେଠାରେ ରହୁଥିବା କିଛି ଓଡ଼ିଆ ଶ୍ରମିକ ସାଙ୍ଗସାଥୀ ତାଙ୍କୁ ଅସୁସ୍ଥ ଅବସ୍ଥାରେ ମୁମ୍ବାଇ ବୋରିଭାଲି ନିକଟ ଭଗବତୀ ସରକାରୀ ମ୍ୟୁନିସିପାଲିଟି ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୁମ୍ବାଇରେ ରହୁଥିବା ପ୍ରଶାନ୍ତଙ୍କ ଭାଇ ଉମା ପଣ୍ଡା, ଭଣଜା ନାରାୟଣ ପଣ୍ଡା ପ୍ରମୁଖ ପହଞ୍ଚିବା ପରେ ବୋରିଭାଲି ଇଷ୍ଟ କସ୍ତୁରବା ମାର୍ଗ ଥାନାରେ ଏତଲା ଦେଇଥିଲେ। ସେଠାକାର ପୋଲିସ ହସ୍ପିଟାଲରେ ପହଞ୍ଚି ରବିବାର ସକାଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଥିଲେ। ଏନେଇ ଖବର ପ୍ରଚାରିତ ପରେ ଭୀଷ୍ମଗିରି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମର ସ୍ବର୍ଗତଃ ସୁରେନ୍ଦ୍ର ପଣ୍ଡାଙ୍କ ୩ ପୁଅ ମଧ୍ୟରୁ ପ୍ରଶାନ୍ତ କନିଷ୍ଠ ପୁତ୍ର ଥିଲେ । ତାଙ୍କର ଏକ ୧୪ ବର୍ଷର ପୁଅ ଓ ୧୧ ବର୍ଷର ଝିଅ ମଧ୍ୟ ଅଛନ୍ତି। ପ୍ରଶାନ୍ତଙ୍କ ମୃତ୍ୟୁ ଖବର ପାଇ ବିଧବା ମାଆ ଝରାଙ୍କ ସମେତ ସ୍ତ୍ରୀ ପିଙ୍କିଙ୍କ ଆଖିରୁ ଲୁହ ଶୁଖୁନି। ମାଆ ଓ ସ୍ତ୍ରୀ ମୁଣ୍ଡ ପିଟିପିଟି କାନ୍ଦି କାନ୍ଦି ବେହୋସ ହୋଇ ପଡୁଛନ୍ତି । ଆର୍ଥିକ ଅନଟନ ମଧ୍ୟରେ ପରିବାର ଚଳି ଆସୁଥିବା ବେଳେ ପ୍ରଶାନ୍ତଙ୍କ ମୃତଦେହ ଭିଟାମାଟିକୁ ଆଣିବାକୁ ପରିବାର ଲୋକେ ସ୍ଥାନୀୟ ସମିତି ସଭ୍ୟ ଶିବରାମ ମହାନ୍ତିଙ୍କୁ ଜଣାଇଥିଲେ। ଏହାପରେ ସମିତିସଭ୍ୟ ବ୍ରହ୍ମପୁର ଏମ୍‌ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁନାର ସାହୁଙ୍କୁ ସମୁଦାୟ ଘଟଣା ଜଣାଇଥିବା କହିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ଅନୁକମ୍ପା ମୂଳକ ସରକାରୀ ସହାୟତା ଯୋଗାଇଦେବାକୁ ସେ ତହସିଲଦାରଙ୍କୁ ନିବେଦନ କରିଥିବା କହିଛନ୍ତି। ଗତ ଅଗଷ୍ଟ ୪ ତାରିଖରେ ଦିଗପହଣ୍ଡି ବ୍ଲକ ବାସୁଦେବପୁର ଛୋଟରାୟପୁର ଗ୍ରାମର ଦାଦନ ଶ୍ରମିକ ସନ୍ତୋଷ ମହାରଣା(୩୬)ଙ୍କ ନଭି ମୁମ୍ବାଇ ଭାସି ସହରରେ ମୃତ୍ୟୁବରଣ କରିଥିଲେ। ଅଗଷ୍ଟ ୮ରେ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଦାଦନ ଶ୍ରମିକ ଟୁନା ବେହେରା(୩୧) ତାମିଲନାଡୁ ଯାଉଥିବା ବେଳେ ଚେନ୍ନାଇ ନିକଟରେ ଟ୍ରେନ୍‌ରୁ ଖସି ମୃତ୍ୟୁବରଣ କରିଥିଲେ। ଅଗଷ୍ଟ ୯ ତାରିଖରେ ରାଧାଦେଇପୁର ଗ୍ରାମର ଦାଦନ ଶ୍ରମିକ ଯୋଗୀ ନାହାକ (୪୫) ଆନ୍ଧ୍ରର ବିଜୟଓ୍ବାଡ଼ା ନିକଟରେ ଟ୍ରେନ୍‌ରୁ ଖସି ମୃତ୍ୟୁବରଣ କରିଥିଲେ।

Dharitri – Odisha’s No.1 Odia Daily

Share