ମିସ୍‌ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତାରେ ଓଡ଼ିଆ ଝିଅ

ପାରଳାଖେମୁଣ୍ଡି(ଗିରିଧାରୀ ପରିଛା),୧ା୭: ଗ୍ଲାମର ଦୁନିଆରେ ଓଡ଼ିଆ ଝିଅଙ୍କ କମାଲ। ମିସ୍‌ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତାରେ ମନ ଜିଣିଲେ ଗଜପତି ଜିଲା ପାରଳାଖେମୁଣ୍ଡି ନୂଆ ନଡିଆତୋଟା ସାହିର ପାୟଲ ପାତ୍ର। ଷ୍ଟାର ଏଣ୍ଟରଟେନ୍‌ମେଣ୍ଟ ଜାତୀୟ ସ୍ତରରେ ଗତ ଡିସେମ୍ବରଠାରୁ ଆରମ୍ଭ ହୋଇଛି ମିସ୍‌ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତା। ଏଥିରେ ଅନ୍‌ଲାଇନ ଅଡିଶନରେ ଭାଗନେଇ ସମସ୍ତ ବିଚାରକ ମଣ୍ଡଳୀଙ୍କ ମନ ଜିଣିଛନ୍ତି ପାୟଲ। ୩ଟି ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ଯୋଗ୍ୟ ବିବେଚିତ ହୋଇ ଫାଇନାଲରେ ପହଞ୍ଚିଛନ୍ତି। ପାୟଲ ଏବେ ଜାତୀୟ ସ୍ତରରେ ଦେଖାଇବେ ଏହି ଟ୍ୟାଲେଣ୍ଟ। ଜୁଲାଇ ୧୧ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରଠାରେ ଆୟୋଜିତ ହେବ ମିସ୍‌ ଇଣ୍ଡିଆ କନିଷ୍ଠର ଗ୍ରେଟ୍‌ ଫାଇନାଲ। ସେଠାରେ ଦକ୍ଷତା ପ୍ରଦର୍ଶନ କରି ପୁରସ୍କାର ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି ପାୟଲ। ସେ ଛୋଟ ବେଳୁ ନାଚ, ଗୀତ, ଚିତ୍ରକଳା ଓ ଅଭିନୟ ସହ ଶିକ୍ଷା ପ୍ରତି ରହିଛି ତାଙ୍କର ବହୁତ ଆଗ୍ରହ। ବର୍ତ୍ତମାନ ସେ ଯୁକ୍ତ ୨ କଳାବିଜ୍ଞାନରେ ପଢ଼ୁଛନ୍ତି। ବିଭିନ୍ନ ମଞ୍ଚରେ ପ୍ରତିଭା ପ୍ରଦର୍ଶନ କରି ମେଡାଲ ସହ ମାନପତ୍ର ହାସଲ କରିଛନ୍ତି।