ଲୋଇସିଂହା,୩ା୧୨(ସୁଶାନ୍ତ ବାରିକ) ଓଡିଆ ଫିଚର ଫିଲ୍ମ ଗୁରୁଜୀ ନମସ୍କାର ଅଦ୍ୟାବଧି ରିଲିଜ ହୋଇନାହିଁ। କିନ୍ତୁ ଏହାପୂର୍ବରୁ ଦେଶର ବିଭିନ୍ନ ପ୍ରତିଷ୍ଠିତ ଫିଲ୍ମ ଉତ୍ସବରେ ପ୍ରଦର୍ଶିତ ହୋଇ ଗୋଟିଏ ପରେ ଗୋଟିଏ ଆୱାର୍ଡ ବିଜୟୀ ହୋଇ ଓଡିଆ ସିନେମା ଜଗତକୁ ଗର୍ବିତ କରିଛି। ଦ ଅଣ୍ଡରଗ୍ରାଡ୍ସ ପ୍ରଡକ୍ସନ ହାଉସ ଅଧୀନରେ ନିର୍ମିତ ଏହି ଫିଲ୍ମ ରାଷ୍ଟ୍ରୀୟସ୍ତରରେ ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର ଯୁବ ଲେଖକ ତଥା ପ୍ରୟୋଜକ ସଙ୍କେତ ତ୍ରିପାଠୀଙ୍କ ଦ୍ୱାରା ଓଡିଆ ଫିଚର ଫିଲ୍ମ ଗୁରୁଜୀ ନମସ୍କାର ପ୍ରସ୍ତୁତ ହୋଇଛି।
ଜଣେ ଶିକ୍ଷକ ଓ ତାଙ୍କ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଭାବପୂର୍ଣ୍ଣ ଓ ପରିବର୍ତ୍ତନଶୀଳ ସମ୍ପର୍କକୁ ଆଧାର କରି ଏହି ଫିଲ୍ମ ତିଆରି ହୋଇଛି। ଏଥିରେ ଗ୍ରାମୀଣ ସ୍କୁଲର ଛୋଟ ଛୋଟ ପରିବର୍ତ୍ତନ କିପରି ବଡ ସାମାଜିକ ପରିବର୍ତ୍ତନର ଦ୍ୱାର ଖୋଲିପାରେ ଏପରି ଏକ କାହାଣୀ ଫିଲ୍ମରେ ଚମକତ୍ାର ସନ୍ଦେଶ ଦେଇଛି।
ନଭେମ୍ବର ୨୨ ତାରିଖରେ କୋଲକାତା ଗ୍ଲୋବାଲ ଇଣ୍ଡିପେଣ୍ଡେଣ୍ଟ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡସ୍(ଜିଆଇଏଫଏଫଏ)ବେଷ୍ଟ ଫିଚର ଫିଲ୍ମ ସମ୍ମାନ ଓ ଫିଲ୍ମ ନିର୍ଦ୍ଦେଶକ ଜିତେନ୍ଦ୍ରୀୟ ପଧାନଙ୍କୁ ବେଷ୍ଟ ନିର୍ଦ୍ଦେଶକ ସମ୍ମାନ ମିଳିଛି। ସେହିପରି ନଭେମ୍ବର ୭ରେ କାଶୀ ଇନ୍ଡିଆନ ଇଣ୍ଟର ନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆୱାଡସ୍ରେ (କେଆଇଏଫଏଫଏ) ବେଷ୍ଟ ଚିଲଡ୍ରେନ ଫିଚର ଫିଲ୍ମ ଓ ବେଷ୍ଟ ନେଗେଟିଭ ଆକ୍ଟର ଭାବେ ସୁକୁମାର ଟୁଡୁଙ୍କୁ ସମ୍ମାନିତ କରାଯାଇଛି।
ଏହାପୂର୍ବରୁ ଅକ୍ଟୋବର ୧୨ରେ ମୁମ୍ବାଇ ଇଣ୍ଟର ନ୍ୟାଶନାଲ ଫିଲ୍ମ ଆୱାର୍ଡସ୍ -୨୦୨୫(ଏମ୍ଆଇଏଫଏ)ରେ ବେଷ୍ଟ ଫିଚର ଫିଲ୍ମ ଅଫ ଦ ଇୟର ସମ୍ମାନ ଅର୍ଜନ କରି ଏହି ଫିଲ୍ମ ଚର୍ଚ୍ଚାକୁ ଆସିଥିଲା। ୟଶପାଲ ଶର୍ମା,ସୀମା ବିଶ୍ୱାସ, ଗୋବିନ୍ଦ ପାଣ୍ଡେ,ରଘୁବୀର ଯାଦବ ଓ ଶ୍ରୀକାନ୍ତ ବର୍ମା ପରି ଦେଶର ଅଭିନେତ୍ରୀ ଅଭିନେତା ଓ ନାଟ୍ୟକାରଙ୍କ ଦ୍ୱାରା ପ୍ରଶଂସା ମିଳିଛି। ଫିଲ୍ମରେ ଅମନ ସୁକୁମାର ଟୁଡୁ ଓ ଶ୍ରୀବାଶୀଂ ସେନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
Dharitri – Odisha’s No.1 Odia Daily


