ତେଲେଙ୍ଗାନାରେ ଓଡ଼ିଆ ଦାଦନ ଶ୍ରମିକ ନିଖୋଜ, ଜିଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ସ୍ତ୍ରୀ

ଭବାନୀପାଟଣା,୨୨।୪(ଉତ୍ତମ କୁମାର ଦାଶ): ଦାଦନ ଖଟିବାକୁ ତେଲେଙ୍ଗାନା ଯାଇ ନିଖୋଜ ହୋଇଗଲେ ଶ୍ରମିକ । ନିଖୋଜ ଶ୍ରମିକ ଜଣକ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ରାଣୀବାହାଲ ଗ୍ରାମର ରଘୁନାଥ ରାଉତ । ଏହି ଘଟଣାକୁ ନେଇ ତାଙ୍କ ସ୍ତ୍ରୀ ଅହଲ୍ୟା କଳାହାଣ୍ଡି ଜିଲାପାଳ, ଜିଲା ଶ୍ରମ ଅଧିକାରୀ, ନିୟୋଜନ ଅଧିକାରୀ ପ୍ରମୁଖଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି।

ପ୍ରକାଶଯୋଗ୍ୟ ଯେ, ଗତ ୫ ମାସ ତଳେ ରଘୁ ଦାଦନ ଖଟିବାକୁ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ନିକଟ ଭୋଳାରାମକୁ ଯାଇଥିଲେ। ସେଠାରେ ସେ ଏକ ଘରୋଇ ମାଲିକଙ୍କ ଠାରେ ମିସ୍ତ୍ରୀ ଭାବରେ କାମ କରୁଥିଲେ। ତେବେ ଗତ ମାସକ ତଳେ ସେଠାରେ କାମ ସରି ଯିବାରୁ ଭୋଳାରାମ ଠାରୁ ପଠାନ ଚୋର ନାମକ ଆଉ ଏକ ସ୍ଥାନକୁ କାମ କରିବାକୁ ବାହାରିଥିଲେ । ହେଲେ ସଂନ୍ଧ୍ୟା ସୁଦ୍ଧା ମଧ୍ୟ ଉକ୍ତ ସ୍ଥାନକୁ ପହଞ୍ଚି ନଥିଲେ। ଏପରିକି ତାଙ୍କ ସାଙ୍ଗ ମାନେ ମଧ୍ୟ ସେଠାରେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିଲେ।

ପରେ ଘଟଣା ସମ୍ପର୍କରେ ସାଙ୍ଗମାନେ ଘର ଲୋକଙ୍କୁ ଜଣାଇଥିଲେ । ସେହିପରି ରଘୁଙ୍କ ମୋବାଇଲକୁ ବାରମ୍ବାର କଲ କରାଗଲେ ପରେ ସୁଇଚଅଫ ହୋଯାଇଥିଲା । ବର୍ତ୍ତମାନ ଏହି ଘଟଣାର ମାସେ ପୁରି ଯାଇଥିବାବେଳେ ବି ରଘୁଙ୍କ କୌଣସି ଖୋଜ ଖବର ମିଳି ପାରିନାହିଁ। ଯାହାକୁ ନେଇ ତାଙ୍କ ପରିବାରର ଲୋକେ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି । ସ୍ୱାମୀ ରଘୁଙ୍କୁ ଶୀଘ୍ର ସେଠାରୁ ଖୋଜିକି ଫେରେଇ ଆଣିବାକୁ ସ୍ତ୍ରୀ ଅହଲ୍ୟା ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି ।

 

Dharitri – Odisha’s No.1 Odia Daily

Share