Categories: ଗଞ୍ଜାମ

ସାଉଦି ଆରବରେ ଓଡ଼ିଆ ସଂସ୍କୃତିର ମହକ! ଜୁବେଲ୍‌ରେ ଧୁମ୍‌ଧାମରେ ପାଳିତ ହେଲା…

ଦିଗପହଣ୍ଡି,୨୯।୧୧(ଅଶେଷ ନାଥ ମିଶ୍ର): ପ୍ରବାସୀ ମାଟିରେ ଓଡ଼ିଆ ଭାଷା, କଳା, ସଂସ୍କୃତି ଓ ପରମ୍ପରାକୁ ଜୀବନ୍ତ ରଖିବା ସହ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଏକତା, ଭାଇଚାରା ଓ ପାରିବାରିକ ବନ୍ଧନକୁ ଆହୁରି ସୁଦୃଢ଼ କରିବାର ଲକ୍ଷ୍ୟ ନେଇ ସାଉଦି ଆରବ ଆବୁଅଲି ଦ୍ୱୀପ ଜୁବେଲ୍ ସହରରେ ଓଡ଼ିଶା ଆସୋସିଏସନ୍ ଅଫ୍ ସାଉଦି ଆରବିଆ ଓଡ଼ିଆ ସଙ୍ଗଠନ ‘ଉତ୍କଳିକା’ର ବାର୍ଷିକ ଉତ୍ସବ ଅତ୍ୟନ୍ତ ଆନନ୍ଦ, ଉତ୍ସାହ ଓ ଉଲ୍ଲାସରେ ପାଳିତ ହୋଇଯାଇଛି । ଉତ୍ସବରେ  ଗିରିଜା ନନ୍ଦନ ପଣ୍ଡା ମୁଖ୍ୟ ଅତିଥି ଏବଂ ପିନାକୀ ଝାଡ଼, ଅଖିଳ ମାରପାଣ୍ଡି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଉତ୍ସବରେ ରିୟାଧ ସହର ସ୍ଥିତ ଓଡ଼ିଆ ସମୁଦାୟ ରୋଷା ଏବଂ ଦମ୍ମାମ ସହର ସ୍ଥିତ କଳିଙ୍ଗନର ଅତିଥି ଓ ପ୍ରତିନିଧିମାନଙ୍କ ସହିତ ସାଉଦି ଆରବର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ବହୁ ସଂଖ୍ୟକ ଓଡ଼ିଆ ଯୋଗଦେଇଥିଲେ ।  ପ୍ୟାରୀମୋହନ ପ୍ରଧାନ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ପରେ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ ।  ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ ପରେ ସାଂସ୍କୃତିକ ସମାରୋହର ଭବ୍ୟ ଶୁଭାରମ୍ଭ ହୋଇଥିଲା। ଉତ୍କଳିକାର ବରିଷ୍ଠ ସଦସ୍ୟ ରମାକାନ୍ତ ପାଢ଼ୀ, ଜୟନ୍ତ ମହାପାତ୍ର, ମହେଶ୍ଵର ଜେନା, ସନ୍ତୋଷ କୁମାର ପାତ୍ରଙ୍କ ସମେତ ବହୁ ସଂଖ୍ୟକ ସଦସ୍ୟ ଓ ସେମାନଙ୍କ ପରିବାରବର୍ଗ ଉତ୍ସବରେ ଯୋଗଦେଇଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ଏବଂ ମାଟିର ମହକରେ ଭରପୂର ସମ୍ବଲପୁରୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ସେହିପରି କୁନି କୁନି ଛାତ୍ରୀ ଛାତ୍ର ଏବଂ ଦମ୍ପତ୍ତିମାନଙ୍କ ରଙ୍ଗାରଙ୍ଗ ନୃତ୍ୟ, ଗୀତ ପରିବେଷଣ  କାର୍ଯ୍ୟକ୍ରମକୁ ଖୁବ୍ ଆକର୍ଷଣୀୟ କରିଥିଲା। ପ୍ରବାସରେ ବଢୁଥିବା ନୂତନ ପିଢ଼ିର ଯୁବକ ମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ସମସ୍ତଙ୍କୁ  ଆକୃଷ୍ଟ କରିଥିଲା। କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଗ୍ଲୋବାଲ୍ ଫ୍ୟାଶନ୍ ଶୋ। ବିଭିନ୍ନ ଦେଶ ଓ ସଂସ୍କୃତିର ଝଲକ ଦର୍ଶାଉଥିବା ଏହି ଫ୍ୟାଶନ ଶୋରେ ବିଶ୍ଵ ଭାଇଚାରା, ସହାବସ୍ଥାନ ଓ ‘ଏକ ବିଶ୍ୱ ଏକ ପରିବାର’  ଭାବନାକୁ ସୁନ୍ଦର ଭାବେ ପ୍ରତିଫଳିତ କରିଥିଲା।

ଏଥି ସହ ପ୍ରସିଦ୍ଧ କଣ୍ଠଶିଳ୍ପୀମାନଙ୍କ ଦ୍ଵାରା ପରିବେଷିତ ଲାଇଭ୍ ବ୍ୟାଣ୍ଡ ସଂଗୀତ ସମଗ୍ର ପରିବେଶକୁ ସଂଗୀତମୟ ଓ ଉତ୍ସବମୁଖର କରିଦେଇଥିଲା। ଆକର୍ଷଣୀୟ ରମ୍ବୋଳା ଡ୍ର ମଧ୍ୟ ଉପସ୍ଥିତ ସଦସ୍ୟ ଓ ପରିବାରବର୍ଗଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଥିଲା। ଚିନ୍ମୟ ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଉତ୍କଳିକାର ବାର୍ଷିକ ପତ୍ରିକା ଉନ୍ମୋଚନ କରାଯାଇଥିଲା। ପ୍ରବାସୀ ଓଡ଼ିଆଙ୍କ ସାହିତ୍ୟିକ ପ୍ରତିଭା, ସୃଜନଶୀଳତା, ସ୍ମୃତି ଓ ସାଂସ୍କୃତିକ ଭାବନାକୁ ଏକତ୍ରିତ କରିବାରେ ଏହି ପତ୍ରିକା ବେଶ୍ ଫଳପ୍ରଦ ହୋଇଥିବା ମତପ୍ରକାଶ ପାଇଥିଲା।ମୁଖ୍ୟ ସଂଯୋଜକ ବନ ବିହାରୀ ମହାନ୍ତିଙ୍କ ସାମଗ୍ରିକ ସମନ୍ଵୟରେ ଉତ୍କଳିକାର ବିଭିନ୍ନ ଟିମର ନିଷ୍ଠା, ପରିଶ୍ରମ ଯୋଗୁଁ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

ମୃଣାଳୀ ବେହେରା,  ସଂଯୁକ୍ତା ପାଢ଼ୀ, ବିଭୁ ଦାସ, ଶୁଭାଶିଷ ସ୍ଵାଇଁ, ଦେବଦତ୍ତ ମିଶ୍ର, ଶଙ୍କର କୁମାର ପଣ୍ଡା, ପ୍ରତାପ ଗାନ୍ଧିୟା, ସସ୍ମିତା ଦାସ, ପ୍ରତାପ ବାରୁ,ଲୋପାମୁଦ୍ରା ପାଢ଼ୀ, ସବ୍ୟସାଚୀ ପାଢ଼ୀ, ଶ୍ୟାମଳା ଅର୍ଜୁନ, ରଶ୍ମିତା ସେନାପତି  ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ।

 

Dharitri – Odisha’s No.1 Odia Daily

Share