ପଞ୍ଚଭୂତରେ ଲୀନ ହେଲେ ଶହୀଦ ଯବାନ

ଭବାନୀପାଟଣା/ତୁଣ୍ଡଲା,୧୯।୧୧(ଉତ୍ତମ କୁମାର ଦାଶ/ଫିରୋଜ କୁମାର ଦାଶ): ତ୍ରିପୁରା-ବାଂଲାଦେଶ ସୀମାନ୍ତ ଲଙ୍କାମୋରାରେ ଗତ ଶୁକ୍ରବାର ଶହୀଦ ହୋଇଥିଲେ ଓଡ଼ିଆ ବିଏସ୍‌ଏଫ୍‌ ଯବାନ ଈଶର ଚନ୍ଦ୍ର ଦୋରା। ରବିବାର ମଧ୍ୟାହ୍ନରେ ନିଜ ଜନ୍ମ ମାଟି କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡିରେ ପହଞ୍ଚି ଥିଲା ତାଙ୍କ ପାର୍ଥିବ ଶରୀର। ଏହି ସମୟରେ ଗାଁରେ ଖେଳିଯାଇଥିଲା ଶୋକାକୁଳ ପରିବେଶ। ପରିବାରରେ ତାଙ୍କ ମା’ବାପା, ୨ ଭାଇ, ଭାଉଜ, ସ୍ତ୍ରୀ ଓ ତାଙ୍କ କୁନି ଝିଅ ଏବଂ ଆତ୍ମୀୟଙ୍କ କାନ୍ଦ ବୋବାଳିରେ ଫାଟିପଡିଥିଲା ଗାଁ।

ପରେ ଗାଁ ମଶାଣିରେ ପୋଲିସର ଗାର୍ଡ ଅଫ୍‌ଅନ୍‌ର ସରିବା ପରେ ଶହୀଦ ଯବାନଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଏହାପୂର୍ବରୁ ଅମାଠଛକଠାରେ କଳାହାଣ୍ଡି ଅତିରିକ୍ତ ଜିଲାପାଳ, ଅତିରିକ୍ତ ଏସପି, କେସିଙ୍ଗା ଏସ୍‌ଡିପିଓ, ତହସିଲଦାର, ଜିଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ଅଞ୍ଚଳର ଶହଶହ ଯୁବକ ଉପସ୍ଥିତ ରହି ତାଙ୍କ ପାର୍ଥିବ ଶରୀରକୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସେହିପରି ତୁରଲାଖମନ, ତୁଣ୍ଡଲା, ବାଦିପଡ଼ା, ଦିଗଶିରା, ବେଲଖଣ୍ଡି ଛକଠାରେ ମଧ୍ୟ ଅଞ୍ଚଳର ସମସ୍ତ ଜନସାଧାରଣ ତଥା ଯୁବତୀଯୁବକମାନେ ପୁଷ୍ପମାଲ୍ୟ ଦେଇ ଜୟ ଯବାନ ଜୟ କିଷାନ, ଶହୀଦ ଯବାନ ଈଶ୍ୱର ଚନ୍ଦ୍ର ଦୋରା ଅମର ରହେ ଅମର ରହେ ନାରାରେ ଅଞ୍ଚଳ କମ୍ପି ଉଠିଥିଲା। ୨୦୦୯ରେ ସେ ବିଏସ୍‌ଏଫ୍‌ ଯବାନ ଭାବେ ନିଯୁକ୍ତି ପାଇଥିଲେ।