ରଶ୍ମିରେଖାଙ୍କ ଦୁଇ ପୁରୁଷ ବନ୍ଧୁଙ୍କୁ ହେବ ଜେରା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଅଭିନେତ୍ରୀ ରଶ୍ମିରେଖା ଓଝା ଓରଫ ସୋନି(୨୨)ଙ୍କ ରହସ୍ୟଜନକ ମୃତ୍ୟୁକୁ ୪ ଦିନ ବିତିଛି। ପ୍ରାଥମିକ ତଦନ୍ତରୁ ରଶ୍ମିରେଖା ଆତ୍ମହତ୍ୟା କରିଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଉଥିବାବେଳେ ପରିବାର ଲୋକେ କିନ୍ତୁ ହତ୍ୟା ଅଭିଯୋଗକୁ ଦୋହରାଇଛନ୍ତି। ଏପରିସ୍ଥିତିରେ ତଦନ୍ତକୁ ଆଗକୁ ବଢ଼ାଇବା ସହ ଅଧିକ ତଥ୍ୟ ପାଇବାକୁ ପୋଲିସ ଦୁଇ ପୁରୁଷ ବନ୍ଧୁ ସନ୍ତୋଷ ଓ ରାଜାଙ୍କୁ ଜେରା କରିବାକୁ ଯୋଜନା କରୁଛି। ସେମାନଙ୍କୁ ପୋଲିସ ଥାନାକୁ ଡକାଇଥିବା ସୂଚନା ମିଳିଛି। ଏଥିସହ ରଶ୍ମିରେଖାଙ୍କ ଲାପଟପ୍‌ ଓ କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌) ଯାଞ୍ଚ କରାଯାଉଛି। ସେଥିରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବାକୁ ପୋଲିସ ଆଶା ରଖିଛି। ଅନ୍ୟପଟେ ରଶ୍ମିରେଖାଙ୍କୁ ପୁରୁଷ ବନ୍ଧୁ ସନ୍ତୋଷ ହିଁ ହତ୍ୟା କରିଥିବା ପରିବାର ଲୋକ କହି ଆସୁଛନ୍ତି। ପରିବାର ଲୋକ ବାରମ୍ବାର ଗଣମାଧ୍ୟମରେ ଏଭଳି ପ୍ରତିକ୍ରିୟା ଦେଉଥିଲେ ମଧ୍ୟ କାହା ନାମରେ ଥାନାରେ ଲିଖିତ ଅଭିଯୋଗ କରିନାହାନ୍ତି। ଫଳରେ ପରିବାର ଲୋକଙ୍କ ମନ୍ତବ୍ୟ ଉପରେ ସନ୍ଦେହ କରାଯାଉଛି। ରଶ୍ମିରେଖା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି, ଯଦି ଆତ୍ମହତ୍ୟା ତେବେ କାରଣ କ’ଣ, କିଏ ଚାପ କିମ୍ବା ପ୍ରବର୍ତ୍ତାଇଥିଲେ କି? ଏଭଳି ବିଭିନ୍ନ ଦିଗକୁ ନେଇ ସାଧାରଣରେ ଆଲୋଚନା ଜାରି ରହିଥିବାବେଳେ ପୋଲିସର ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି।