ନୂଆଦିଲ୍ଲୀ,୧୪ା୯(ପି.ଟି.): ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍ସିଡି)ଗୁଡ଼ିକ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ବୋଲି ବ୍ରିକ୍ସ ନେତାମାନେ ସ୍ବୀକାର କରିଛନ୍ତି ଏବଂ ଏକ ସୁସ୍ଥ ଜୀବନଶୈଳୀ ଉପରେ ଏକ ମିଳିତ ଅଭିଯାନକୁ ସମର୍ଥନ କରିଛନ୍ତି। ପାରମ୍ପରିକ ଚିକିତ୍ସାରେ ପରସ୍ପରକୁ ସହଯୋଗ କରିବା ସହ ମାନସିକ ସୁସ୍ଥତା ଉପରେ ଅଧିକ ଧ୍ୟାନ ଦେବା ନିମନ୍ତେ ସେମାନେ ଆହ୍ବାନ ଦେଇଥିବା ବ୍ରିକ୍ସ ଦିଲ୍ଲୀ ଘୋଷଣାନାମାରେ କୁହାଯାଇଛି। ସମଗ୍ର ସରକାର ଏବଂ ସମଗ୍ର ସମାଜର ଆଭିମୁଖ୍ୟ ମାଧ୍ୟମରେ ରୋଗ ପ୍ରତିରୋଧକ ଏବଂ ସ୍ବାସ୍ଥ୍ୟବର୍ଦ୍ଧକ ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏହି ପରିପ୍ରେକ୍ଷୀରେ ସୁସ୍ଥ ଜୀବନଶୈଳୀ ପାଇଁ ବ୍ରିକ୍ସ ଅଭିଯାନ ଏବଂ ସ୍ବାସ୍ଥ୍ୟକର ଜୀବନଶୈଳୀ ପ୍ରୋତ୍ସାହନ ଉପରେ ମିଳିତ ଉଦ୍ୟମ ପାଇଁ ବ୍ରିକ୍ସ ରୋଡ୍ମ୍ୟାପ୍ (୨୦୨୬-୨୦୨୯) ଆରମ୍ଭ କରିବା ପ୍ରସ୍ତାବକୁ ନେତାମାନେ ସମର୍ଥନ କରିଛନ୍ତି। ‘ବିଲ୍ଡିଂ ଫର୍ ରେସିଲିଆନ୍ସ, ଇନୋଭେଶନ, କୋ-ଅପରେଶନ ଆଣ୍ଡ୍ ସଷ୍ଟେନେବିଲିଟି’ ଶୀର୍ଷକ ଏହି ଘୋଷଣାନାମାରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଆଲୋଚନା ଓ କୂଟନୀତି ଜରିଆରେ କରିବାକୁ ଗୁରୁତ୍ୱ ଦିଆଯାଇଛି।