କଳାହାଣ୍ଡିର ଗୌରବ: ରାଜ୍ୟସ୍ତରୀୟ ‘ସୁରଭି-୨୦୨୬’ ଚିତ୍ରାଙ୍କନରେ ତୃତୀୟ ସ୍ଥାନ ଅଧିକାର କଲେ ଲଚନା ମାଝୀ

ଥୁଆମୂଳ ରାମପୁର,୧୮।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ର ମେଧାବୀ ଛାତ୍ରୀ ଲଚନା ମାଝୀ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ରେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ ତଥା ସମଗ୍ର ଜିଲା ପାଇଁ ଗୌରବ ଆଣିଛନ୍ତି। ଗତ ନଭେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ‘ସୁରଭି-୨୦୨୬’ର ବରିଷ୍ଠ ବିଭାଗ ଚିତ୍ରାଙ୍କନ ପ୍ରତିଯୋଗିତାରେ ସେ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ‘ମୋ ଭାଷା ମୋ ଗୌରବ’ ଶୀର୍ଷକ ଉପରେ ଆଧାରିତ ତାଙ୍କର ଚିତ୍ରକଳା ବିଚାରକମଣ୍ଡଳୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।

ଏହି ଗୌରବମୟ ସଫଳତା ପାଇଁ ବୁଧବାର ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ପ୍ରଧାନଶିକ୍ଷକ ବିଶ୍ୱନାଥ ହେମ୍ରମ୍‌ଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଲଚନାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ରଙ୍ଗପେଟି ଉପହାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇ ଛାତ୍ରୀଙ୍କ କୃତିତ୍ୱକୁ ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ ଯେ, ଥୁଆମୂଳ ରାମପୁର ପଞ୍ଚାୟତ ଅନ୍ତର୍ଗତ ମର୍ଦିଗୁଡ଼ା ଗ୍ରାମର ବୁଡ଼ା ମାଝୀଙ୍କ କନ୍ୟା ଲଚନା ରାଜ୍ୟସ୍ତରୀୟ ପ୍ରତିଯୋଗିତା ପୂର୍ବରୁ କ୍ଲଷ୍ଟର, ବ୍ଲକ ଏବଂ ଗତ ନଭେମ୍ବର ୯ ତାରିଖରେ ଭବାନୀପାଟଣା ସ୍ଥିତ ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଜିଲ୍ଲାସ୍ତରୀୟ ‘ସୁରଭି’ (“ସମୃଦ୍ଧ ଭାଷା: ସମୃଦ୍ଧ ଓଡ଼ିଶା” ପ୍ରସଙ୍ଗ) ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ନିଜ ସଫଳତାର ଶ୍ରେୟ ସେ କଳା ଶିକ୍ଷକ ପରମେଶ୍ୱର ସାମଲ, ତାଙ୍କ ଭାଇ ଏବଂ ପ୍ରଧାନଶିକ୍ଷକଙ୍କୁ ଦେଇଥିବା ବେଳେ ଆଗାମୀ ଦିନରେ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରି ଅଞ୍ଚଳର ନାଁ ରଖିବାକୁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।

ଏହି ସମ୍ବର୍ଦ୍ଧନା ଉତ୍ସବରେ ପ୍ରଧାନଶିକ୍ଷକ ବିଶ୍ୱନାଥ ହେମ୍ରମ୍‌ଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ ଅଲୋକ କୁମାର ମହାନ୍ତ, ସଞ୍ଜୀବ ଭୂଏ, ଲିପିଶ୍ରୀ ବାରିକ, ପରମେଶ୍ୱର ସାମଲ, ରଞ୍ଜିତ ସାହୁ, ନାଗେଶ କର, ହିମାଦ୍ରୀ ନାୟକ, ଯୋଷବନ୍ତ ସାହୁ, ରୋହନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଗୌଡ଼, ସ୍ୱର୍ଣ୍ଣମୟୂର ସାହୁ, ପୂର୍ଣ୍ଣିମା ସାହୁ, ରମେଶ କୁମାର, ଅନିଲ ସାହୁ, ନୀଳାଞ୍ଚଳ ଦାସ ଏବଂ ସୁଜାତା କୋଚିନ ପ୍ରମୁଖ ଉପସ୍ଥିତ ରହି ଲଚନାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Dharitri – Odisha’s No.1 Odia Daily

Share