ଭୁବନେଶ୍ୱର,୨୬।୫: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପରିଚାଳିତ OCS-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ବୁବୁନ ସାହୁ ଟପ୍ପର ହୋଇଛନ୍ତି। ସେହିପରି ଶୋଭନା ମହାନ୍ତି ଦ୍ବିତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
ମେରିଟ ଲିଷ୍ଟ ଅନୁଯାୟୀ ପ୍ରଥମ ୧୦ଟି ସ୍ଥାନରେ ରହିଥିବା କୃତୀ ପ୍ରତିଯୋଗୀମାନେ ହେଲେ ବୁବୁନ ସାହୁ (ଟପ୍ପର),୨-ଶୋଭନା ମହାନ୍ତି , ୩-ଜିତମିତ୍ର ସାହୁ,୪-କନକ ଜୈନ,୫-ସଂଗ୍ରାମ ପ୍ରଧାନ, ୬-ଅମନ ଗୋୟଲ, ୭-ଶାନ୍ତନୁ କୁମାର ଶତପଥୀ, ୮- ନିତେଶ କୁମାର ବାରିକ, ୯-ଶୀତଲ ପାତ୍ର, ୧୦-ଈତିଶ୍ରୀ ଜେନା।
ଫଳାଫଳ ପ୍ରକାଶ ପାଇବା ପରେ ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। କୃତକାର୍ଯ୍ୟ ହୋଇଥିବା ଏହି ସମସ୍ତ ୨୦୦ ଜଣ ପ୍ରାର୍ଥୀ ଆଗାମୀ ଦିନରେ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରଶାସନିକ ପଦପଦବୀରେ ଯୋଗଦେଇ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ପରୀକ୍ଷାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟ୍କୁ ଯାଇ ନିଜର ସମ୍ପୂର୍ଣ୍ଣ ସ୍କୋରକାର୍ଡ ଚେକ କରିପାରିବେ।
ଏହି ପରୀକ୍ଷାରେ ମୋଟ ୩୫ ହଜାର ୧୬୫ଜଣ ପରୀକ୍ଷାର୍ଥୀ ପ୍ରିଲିମ୍ ଦେଇଥିଲେ। ଏଥିରେ ୩୮୫ଜଣ କୃତକାର୍ଯ୍ୟ ହେବା ପରେ ଇଣ୍ଟରଭ୍ୟୁ ପାଇଁ ମନୋନୀତ ହୋଇଥିଲେ।