ବଲାଙ୍ଗୀର,୧୨।୫(ସୁନିଲ କୁମାର ମହାନ୍ତି): ହସ୍ପିଟାଲ ଭିତରେ ପୀଡିତ ରୋଗୀଙ୍କୁ ସେବା ଯୋଗାଉଥିବାବେଳେ ଜଣେ ନର୍ସିଂ ଛାତ୍ରୀଙ୍କ ସାଇକଲକୁ ହସ୍ପିଟାଲ ପରିସରରୁ ଜଣେ ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି । ଚୋରି ବେଳର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି । ଦିନ ଦ୍ବିପହରରେ ଦୁର୍ବୃତ୍ତଜଣକ ସାଇକଲ ଚୋରି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ଓ୍ବାର୍ଡରେ କାର୍ଯ୍ୟରତା ସାଇଟ୍ ନର୍ସିଂ କଲେଜର ଏଏନ୍ଏମ୍ ଛାତ୍ରୀଙ୍କ ସାଇକେଲ ଚୋରି ହୋଇଥିବା ଅଭିେଯାଗ ହୋଇଛି । ନର୍ସିଂ ଛାତ୍ରୀ ଜଣକ ରବିବାର ସକାଳ ୮ଟାରେ ହସ୍ପିଟାଲକୁ ଆସି ଡ୍ୟୁଟି କରିଥିଲେ । ଅପରାହ୍ନରେ ଆସି ଦେଖିଲା ବେଳେ ରକ୍ତଭଣ୍ଡାର ନିକଟରେ ତାଙ୍କର ସାଇକଲ ଆଉନଥିଲା।
ଏନେଇ ହସ୍ପିଟାଲ ଫାଣ୍ଡିରେ ଅଭିେଯାଗ କରିବା ପରେ ପୋଲିସ ସୋମବାର ସିସିଟିଭି ଫୁଟେଜ୍ ଯାଞ୍ଚ କରିବାରୁ ଜଣେ ଯୁବକ ସାଇକଲ ଚୋରି କରି ନେଇଯାଇଥିବା ଦୃଶ୍ୟ ରେକର୍ଡ ହୋଇଥିବା ଦେଖାଯାଇଥିଲା। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସିସିଟିଭି ଫୁଟେଜ୍ ଯାଞ୍ଚ କରି ସାଇକଲ ଉଦ୍ଧାର ଏବଂ ଚୋରକୁ ଧରିବାକୁ ଉଦ୍ୟମ କରାଯିବ ବୋଲି ଏସଡିପିଓ ସରୋଜ ଉପାଧ୍ଯାୟ କହିଛନ୍ତି ।