ଖୋର୍ଦ୍ଧା , ୬।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଆଜି ସୁଦ୍ଧା ସଂଖ୍ୟା ୫୪ରେ ପହଞ୍ଚିଛି। ଆଗକୁ ଆହୁରି ବଢିବା ସମ୍ଭାବନା ରହିଛି। ପାଣି ଏବଂ ବାହାର ଖାଦ୍ୟରୁ ଜଣ୍ଡିସ ଆକ୍ରାନ୍ତ ବଢୁଛି ବୋଲି ସନ୍ଦେହ କରିଛି ସ୍ବାସ୍ଥ୍ୟ ବିଭାଗ। ଆଜି ସିଡିଏମଓ ଡା ସଞ୍ଜୟ ରାୟ, ଜନସ୍ବାସ୍ଥ୍ୟ ବିଭାଗ ଡା ରଞ୍ଜନ ମିତ୍ର ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିଛନ୍ତି। ଏଥିସହିତ ରୋଷେଇ ଗୃହ ବୁଲି ଦେଖିବା ସହ ପିଲାଙ୍କୁ ଦିଆଯାଇଥିବା ଖାଦ୍ୟ, ଖାଦ୍ୟ ପ୍ରସ୍ତୁତି ଗୃହ, ଖାଦ୍ୟ ସାମଗ୍ରୀ ବୁଲି ଦେଖିଛନ୍ତି। ଏଠାରେ ସ୍ବଚ୍ଛତା, ପରିଷ୍କାର ପରିଚ୍ଛନ୍ନତା ରଖିବା, ହେଣ୍ଡ ଗ୍ଲୋବସ, ମାସ୍କ, ଆଫ୍ରୋନ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି ବୋଲି ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ ମିତ୍ର ସୂଚନା ଦେଇଛନ୍ତି। ଅଭିଭାବକମାନେ କୌଣସି ଭୟଭିତ ହୁଅନ୍ତୁ ନାହିଁ। ଜିଲା ସ୍ବାସ୍ଥ୍ୟ ବିଭାଗର ଟିମ ଗତ ୩ଦିନ ଧରି ଶିକ୍ଷକ, ପିଲାଙ୍କ ରକ୍ତ ପରୀକ୍ଷା ସହ ପାଣି ନମୁନା ସଂଗହ କରି ପରିକ୍ଷଣ ପାଇଁ ପଠାଯାଇଛି। ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖାଯାଇଛି କହିଛନ୍ତି ସିଡିଏମଓ। ଅନ୍ୟପଟେ ଅଧ୍ୟକ୍ଷାକହିଛନ୍ତି, କିଛି ଅଭିଭାବକ ଭୟଭିତ ହୋଇ ପିଲାଙ୍କୁ ଘରକୁ ନେଇ ଯାଇଛନ୍ତି। ସମସ୍ତ ପିଲାଙ୍କୁ ଫେରିବାକୁ ଅନୁରୋଧ କରାଯାଉଛି। ବିଦ୍ୟାଳୟ ପକ୍ଷରୁ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ସେ କହିଛନ୍ତି।


