ତେହରାନ୍/ଓ୍ବାଶିଂଟନ୍,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା ଇଣ୍ଟରନ୍ୟାଶନାଲ ଆଟମିକ୍ ଏନର୍ଜି ଏଜେନ୍ସି (ଆଇଏଇଏ) ମଧ୍ୟ ଅଭିଯୋଗ ସମ୍ପର୍କର ସ୍ପଷ୍ଟ କରିନାହିଁ। ଫେବୃଆରୀ ୨୮ରୁ ଆମେରିକା-ଇସ୍ରାଏଲ୍ ଇରାନ୍ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ତେହରାନ୍ ଏହାର ମୁହଁତୋଡ଼ ଜବାବ ଦେଇଚାଲିଛି। ଫଳରେ ଯୁଦ୍ଧର ପରିସର ବୃଦ୍ଧି ସହ ତୈଳ, ବିଶ୍ୱର ବିଭିନ୍ନ ଭାଗରେ ପ୍ରାକୃତିକ ବାଷ୍ପ ସଙ୍କଟ ଘନେଇବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ଭିଡିଓ ଫୁଟେଜ୍ ଶେୟାର କରିଛନ୍ତି। ଇରାନ୍ର ଇଶ୍ଫାହାନ୍ ଆଣବିକ କେନ୍ଦ୍ରରେ ମଙ୍ଗଳବାର ଭୋର ସମୟରେ ଆମେରିକୀୟ ସୈନ୍ୟ ବୋମା ବର୍ଷଣ କରୁଥିବାବେଳର ଏହି ଦୃଶ୍ୟକୁ ନେଇ ସାମାଜିକ ଗଣମାଧ୍ୟମ ଓ ବିଭିନ୍ନ ଟିଭି ଚ୍ୟାନେଲରେ ଏବେ ନାନା ଚର୍ଚ୍ଚା ଚାଲିଛି।
ରାଷ୍ଟ୍ରପତି ଟ୍ରମ୍ପ୍ ଉକ୍ତ ଭିଡିଓରେ ଷ୍ଟ୍ରାଇକ୍ ସମ୍ପର୍କରେ କିଛି ଉଲ୍ଲେଖ କରି ନ ଥିଲେ ମଧ୍ୟ ମିଡିଆ ରିପୋର୍ଟଗୁଡ଼ିକରେ ଦାବି କରାଯାଇଛି ଯେ, ଏହା ଇଶ୍ଫାହାନ୍ସ୍ଥିତ ଏକ ବୃହତ୍ ଅସ୍ତ୍ରାଗାର ଉପରେ ଆମେରିକା ଓ ଇସ୍ରାଏଲ୍ର ମିଳିତ ଆକ୍ରମଣ। ୨.୩ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ଇରାନୀୟ ସହରରେ ବଦର ସାମରିକ ଏୟାରବେସ୍ ଅବସ୍ଥିତ। ଓ୍ବାଲଷ୍ଟ୍ରିଟ୍ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟକୁ ଅବତାରଣା କରି ଜଣେ ଅଧିକାରୀ କହିଛନ୍ତି, ଆମେରିକୀୟ ସେନା ଇଶ୍ଫାହାନ୍ ଅସ୍ତ୍ରଭଣ୍ଡାର ଉପରେ ୨,୦୦୦ ପାଉଣ୍ଡ (ପ୍ରାୟ ୯୦୭ କେ.ଜି.)ର ବଙ୍କର ବଷ୍ଟର ବୋମା ମାଡ଼ କରିଛି। ଭୋର ସମୟରେ ରାତିର ଅନ୍ଧାର ଯାଇ ନ ଥିବାବେଳେ ବୋମାମାଡ଼ରେ ସମ୍ପୃକ୍ତ ଅଞ୍ଚଳର ଆକାଶ ଆଲୋକରେ ଝଟକି ଉଠିଥ୍ତ୍ଲା। ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ପାକିସ୍ତାନ ମଧ୍ୟସ୍ଥତାରେ ଇସ୍ଲାମାବାଦରେ ଶାନ୍ତି ପାଇଁ କୂଟନୈତିକ ଆଲୋଚନା ଜାରି ରହିଛି। ଇଜିପ୍ଟ, ସାଉଦି ଆରବ ଓ ତୁର୍କୀ ବହିର୍ବ୍ୟାପାର ମନ୍ତ୍ରୀ ଏଥିରେ ଯୋଗଦେଇଛନ୍ତି। ଏଭଳି ସମୟରେ କୂଟନୈତିକ ଉଦ୍ୟମକୁ ଭଣ୍ଡୁର କରିବା ଭଳି ଆକ୍ରମଣ ଅନେକଙ୍କୁ ବିସ୍ମିତ କରିଛି।
କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇରାନ୍ ଇଶ୍ଫାହାନ୍ର ଏକ ଭୂତଳ କ୍ଷେତ୍ରରେ ପ୍ରାୟ ୫୪୦ କେ.ଜି. ୟୁରାନିୟମ୍ ସମ୍ବର୍ଦ୍ଧନ କରିସାରିଲାଣି। ଉଲ୍ଲେଖଯୋଗ୍ୟ ୨୦୨୫ ଜୁନ୍ରେ ୧୨ ଦିନିଆ ଯୁଦ୍ଧ ବେଳେ ମଧ୍ୟ ଆମେରିକା ଏହି ସହରକୁ ଆକ୍ରମଣ କରିଥିଲା। ସେତେବେଳେ ଆକ୍ରମଣ ପୂର୍ବରୁ ଏନେଇ ସୁରାକ୍ ପାଇ ଇରାନ୍ ୟୁରାନିୟମ୍କୁ ଆଗୁଆ ଅନ୍ୟତ୍ର ସ୍ଥାନାନ୍ତର କରିସାରିଥିଲା। ସେହି ୟୁରାନିୟମ୍ ଏବେ ମଧ୍ୟ ସୁରକ୍ଷିତ ଏବଂ ଆଣବିକ ଅସ୍ତ୍ର ନିର୍ମାଣ ପାଇଁ ପ୍ରସ୍ତୁତ ଥିବା କୁହାଯାଉଛି। ତେଣୁ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନ୍ ଅଣୁ ଅସ୍ତ୍ର ବ୍ୟବହାର କରିବା ପାଇଁ ଅଣୁ ଅପ୍ରସାର ଚୁକ୍ତିରୁ ଓହରିବାକୁ ଉଦ୍ୟମ ଚଳାଇଥିବା ମନେକରାଯାଉଛି।
Dharitri – Odisha’s No.1 Odia Daily

