ନୂଆପଡ଼ା,୨।୧୧ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନରେ ଛତିଶଗଡ଼ି ଢାଚାରେ ପ୍ରଚାର ବେଶ ଜମୁଛି। ଓଡ଼ିଶାର ନିର୍ବାଚନ ହେଉଥିଲେ ମଧ୍ୟ ଛତିଶଗଡ଼ି ଭାଷାଭାଷି ଅଞ୍ଚଳମାନଙ୍କରେ ହିନ୍ଦୀ ଭାଷାରେ ଲେଖାଥିବା ପୋଷ୍ଟର, ବ୍ୟାନର ଲଗାଯାଇ ପ୍ରଚାର କରାଯାଉଛି। ହେଲେ ଉପକୂଳିଆ ନେତା ମନ୍ତ୍ରୀଙ୍କୁ ଛତିଶଗଡି ଭାଷା ଏକ ପ୍ରକାର ଅଡୁଆରେ ପକାଉଥିବା ଚର୍ଚ୍ଚା ହେଉଛି।
ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ରହିଥିବାରୁ ଅଧିକାଂଶ ଗାଁର ଲୋକେ ହିନ୍ଦୀ ଓ ଛତିଶଗଡ଼ି ଭାଷାରେ କଥାବାର୍ତ୍ତା କରନ୍ତି। ଓଡ଼ିଆ ଭାଷା କହିଲେ କମ ଜାଣନ୍ତି। ଓଡ଼ିଆ କଥା ବୁଝିପାରନ୍ତି, ଠିକ୍ ଭାବେ କହିପାରନ୍ତି ନାହିଁ। ସେମାନେ ଓଡ଼ିଶାରେ ରହିଥିଲେ ମଧ୍ୟ ଭାଷା,ସଂସ୍କୃତି ଓ ପରମ୍ପରା ଭିନ୍ନ। ଏକ ପ୍ରକାର ଛତିଶଗଡି ଭଳି ଲାଗେ। ଓଡ଼ିଆ ଭାଷାର ପ୍ରଚାରପ୍ରସାର କମ ଥିବାରୁ ଛତିଶଗଡ ସୀମାନ୍ତ ପଞ୍ଚାୟତ ବା ଗାଁଗୁଡ଼ିକୁ ପ୍ରାର୍ଥୀ କିମ୍ବା ନେତାମନ୍ତ୍ରୀମାନେ ଯାଇ ହିନ୍ଦି ଓ ଛତିଶଗଡ଼ି ଭାଷାରେ ପ୍ରଚାର କରି ନିଜ ପ୍ରାର୍ଥୀ ପାଇଁ ଭୋଟ ଭିକ୍ଷା କରୁଛନ୍ତି।
ସେହିସବୁ ଗାଁରେ ହିନ୍ଦି ଭାଷାରେ ଲେଖାଥିବା ପୋଷ୍ଟର ବ୍ୟାନର ମଧ୍ୟ ଲଗାଯାଉଛି। ଛତିଶଗଡ଼ ରାଜ୍ୟ ନାୱା ବିନ୍ଦ୍ରାଗଡ଼ ବିଧାୟକ ଜନକ ରାମ ଧୃଉ ନୂଆପଡ଼ା ଆସି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହ ଗାଁଗାଁରେ ସଭା ସମିତି କରୁଛନ୍ତି। ସେ ଛତିଶଗଡି ଭାଷାଭାଷି ଅଞ୍ଚଳରେ ଛତିଶଗଡି ଭାଷାରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି।
ସେହିପରି ସ୍ବାଧୀନ ପ୍ରାର୍ଥୀ ଆଶ୍ରୟ ମହାନନ୍ଦ ସୀମାନ୍ତ ଚୂଳାଭାଟ ପଞ୍ଚାୟତ ପଣ୍ଡରିପାଣି ଗାଁରେ ହିନ୍ଦି ଭାଷାରେ ଲେଖାଥିବା ପୋଷ୍ଟର ଭୋଟରମାନଙ୍କୁ ଦେଇ ପ୍ରଚାର କରୁଛନ୍ତି। ଓଡ଼ିଶାର ନିର୍ବାଚନକୁ ଛତିଶଗଡି ଢାଚାରେ ପ୍ରଚାର କାର୍ଯ୍ୟ ବେଶ ଚର୍ଚ୍ଚାର ବିଷୟ ହୋଇଛି। ଉପକୂଳିଆ ଓ ପଶ୍ଚିମ ଓଡିଶା ନିର୍ବାଚନ ପ୍ରଚାର କାର୍ଯ୍ୟ ସମ୍ପୂର୍ଣ୍ଣ ଭିନ୍ନ ବୋଲି ନେତାମାନେ ଚା’ଖଟିରେ ଚର୍ଚ୍ଚା କରୁଥିବାର ମଧ୍ୟ ଶୁଣିବାକୁ ମିଳିଛି।


